ବିଶ୍ୱ ହାଇଡ୍ରୋଜେନ୍‌ ମାନଚିତ୍ରରେ ଅଗ୍ରଣୀ ନେତୃତ୍ୱ ନେବ ଭାରତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଭାରତରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ହାଇଡ୍ରୋଜେନ୍‌ ପ୍ରତିଷ୍ଠା ପାଇଁ ‘ଇଣ୍ଡିଆନ ଅଏଲ’ ଏବଂ ‘ଗ୍ରୀନ୍‌ସାଟ୍‌ ହାଇଡ୍ରୋଜେନ୍‌ ଇଣ୍ଡିଆ’ କମ୍ପାନୀ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀରେ ଇଚ୍ଛାପତ୍ର ସ୍ବାକ୍ଷର (ଷ୍ଟେଟମେଣ୍ଟ ଅଫ୍‌ ଇଣ୍ଟେଣ୍ଟ) ସମାରୋହ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ହାଇଡ୍ରୋଜେନ୍‌ ସ୍ଥିର ମୂଲ୍ୟ ଓ ବୈଷୟିକ ସମାଧାନର ବିକାଶ, ହାଇଡ୍ରୋଜେନର ସଂରକ୍ଷଣ ଏବଂ ଉତ୍ପାଦନର ବ୍ୟବସାୟ ମଡେଲ ପ୍ରସ୍ତୁତ କରିବ। ଟେକ୍ନୋଲୋଜି ଶେୟାରିଂ, ଟ୍ରାନ୍ସଫର ମାଧ୍ୟମରେ ଫ୍ୟୁଏଲ ସେଲ୍‌ ଏବଂ ସିସିୟୁଏସ୍‌ ଟେକ୍ନୋଲୋଜିର ବିକାଶ କରାଯିବ। ହାଇଡ୍ରୋଜେନ୍‌ ଶକ୍ତି ଭାଲ୍ୟୁଚେନ୍‌ରେ ଘରୋଇ ଦକ୍ଷତା ବିକାଶ ଦିଗରେ ‘ଇଣ୍ଡିଆନ ଅଏଲ’ ଏବଂ ‘ଗ୍ରୀନ୍‌ସାଟ୍‌ ହାଇଡ୍ରୋଜେନ୍‌ ଇଣ୍ଡିଆ’ର ମିଳିତ ଉଦ୍ୟମରେ ଭାରତ ବିଶ୍ୱ ହାଇଡ୍ରୋଜେନ୍‌ ମାନଚିତ୍ରରେ ଅଗ୍ରଣୀ ନେତୃତ୍ୱ ନେବ ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହାଇଡ୍ରୋଜେନ ସମେତ ଭବିଷ୍ୟତର ଇନ୍ଧନ ପାଇଁ କାର୍ଯ୍ୟ ଜାରି ରହିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Share