ଇଣ୍ଡିଆ ଟୁଡେର ବଡ଼ ସର୍ଭେ, ଓଡ଼ିଶାରେ କିଏ ମାରିବ ବାଜି?

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ତେବେ ଏହାରି ଭିତରେ ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଓଡ଼ିଶାକୁ ନେଇ ବିଭିନ୍ନ ଏଜେନ୍ସି ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଚମକେଇ ଦେବା ଭଳି ସର୍ଭେ ପ୍ରକାଶ କରିଛି।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଅନୁଯାୟୀ, ଭାଜପାକୁ ୧୮ରୁ ୨୦ ମିଳୁଥିବାବେଳେ ବିଜେଡିକୁ ୦-୨ ଓ କଂଗ୍ରେସକୁ ୦-୧ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି। ଯାହା ସମସ୍ତଙ୍କୁ ତାଜୁବ କରି ଦେଇଛି।

କେବଳ ଏତିକି ନୁହେଁ ଅନ୍ୟ ଏଜେନ୍ସିମାନଙ୍କର ସର୍ଭେନୁସାରେ ମଧ୍ୟ ଭାଜପା ଲୋକ ସଭାରେ ଓଡ଼ିଶାରେ କ୍ଲିନ ସ୍ବିପ କରୁଛି। ଇଣ୍ଡିଆ ଟିଭି ଏକଜିଟ ପୋଲ ଅନୁସାରେ, ଭାଜପା ୧୫-୧୭ ଆସନରେ ବିଜୟୀ ହେଉଥିବାବେଳେ ବିଜେଡି ୪-୬ ସୀମିତ ରହିଛି। ଯେତେବେଳେ କି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଉଛି। ସେହିପରି ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ, ଓଡ଼ିଶାରେ ଭାଜପାକୁ ୧୩ ଲୋକ ସଭା ଆସନ ମିଳୁଥିବାବେଳେ ବିଜୁ ଜନତା ଦଳକୁ ୮ ଆସନ ମିଳିଛି।

ଜନ କି ବାତ ଆକଳନ ଅନୁଯାୟୀ, ଭାଜପା ୧୫ରୁ ୧୮ ଓ ବିଜେଡିକୁ ୩ରୁ ୭ ଆସନ ମିଳିପାରେ ବୋଲି କୁହାଯାଉଛି। ନ୍ୟୁଜ ୨୪ର ଚାଣକ୍ୟ ଏଜେନ୍ସି ଆକଳନ ଅନୁଯାୟୀ, ଭାଜପାକୁ ୧୬ ଆସନ ମିଳୁଥିବାବେଳେ ବିଜେଡିକୁ ୪ ଓ କଂଗ୍ରେସକୁ ୧ ମିଳିପାରେ ବୋଲି ଆକଳନ କରାଯାଉଛି। ରିପବ୍ଲିକ ମାର୍ଟିଜ ଅନୁସାରେ, ଭାଜପା ୯-୧୨ ଆସନ ଓ ବିଜେଡି ୭-୧୦ ଆସନ ମିଳୁଥିବାବେଳେ କଂଗ୍ରେସକୁ ୧ ଆସନ ମିଳିପାରେ ବୋଲି ଆକଳନ କରିଛି। ଏବିପିର ସି ଭୋଟର ଅନୁଯାୟୀ, ଭାଜପାକୁ ୧୭-୧୯ ଆସନ ମିଳୁଥିବାବେଳେ ବିଜେଡିକୁ ୧-୩ ମିଳିପାରେ ବୋଲି ଆକଳନ କରିଛି।

କହିରଖୁଛୁ ଯେ, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ନେତୃତ୍ୱାଧୀନ ବିଜେଡି ୨୧ରୁ ୨୦ ଆସନ ପାଇଥିଲା। ଯେଉଁଥିରେ ବିଜେଡି ସମର୍ଥନରେ ମୋଦି କେନ୍ଦ୍ରରେ ସରକାର ଗଢିଥିଲେ। କିନ୍ତୁ ୨୦୧୯ରେ ବିଜେଡି ମାତ୍ର ୧୨ଟି ଆସନ ହାତେଇ ପାରିଥିଲା।

Share