ପୃଥିବୀରେ ଭାରତ ଶୀର୍ଷରେ: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ

ନୂଆଦିଲ୍ଲୀ, ୨୧।୯: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାରରେ ଭାରତ ପୃଥିବୀରେ ଶୀର୍ଷରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ ଛୁଇଁଛି। ଲଗାତାର ୩ ଦିନ ଧରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହିଛି ବୋଲି ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ୨୪ ଘଣ୍ଟାରେ ୯୩ ହଜାର ୩୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୯୬ ହଜାର ୩୯୯ ଛୁଇଁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମେ ୪ରେ ସୁସ୍ଥ ହେବା ହାର ୨୭.୫୨ ପ୍ରତିଶତ ଥିଲା। ସେହିପରି ଜୁଲାଇ ୧୩ରେ ଏହା ୬୩.୦୨ ପ୍ରତିଶତ ଥିଲା। ସେପ୍ଟେମ୍ବର ୨୧ରେ ଏହା ୮୦ ପ୍ରତିଶତରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସୁସ୍ଥ ହେବା ହାର ଜାତୀୟ ହାରାହାରି ହାରଠାରୁ ଅଧିକ ରହିଛି। ଅଣ୍ଡାମାନ ନିକୋବରରେ ଏହା ସର୍ବାଧିକ ୯୪.୫୦ ରହିଛି। ସେହିପରି ଡାମନ ଡିୟୁ ଏବଂ ଦାଦ୍ରା ନଗର ହବେଲୀରେ ଏହା ୯୨.୧୦ ପ୍ରତିଶତ, ବିହାରରେ ୯୧.୮୦, ତାମିଲନାଡୁରେ ୮୯.୮୦, ପଶ୍ଚିମବଙ୍ଗରେ ୮୭, ଆନ୍ଧ୍ରପ୍ରଦେଶରେ ୮୬.୫୦ ପ୍ରତିଶତ ରହିଛି। ଅପରପକ୍ଷରେ ଦିଲ୍ଲୀରେ ୮୫ ପ୍ରତିଶତ, ଗୁଜରାଟରେ ୮୪.୦୧, ରାଜସ୍ଥାନରେ ୮୩, ତେଲଙ୍ଗାନାରେ ୮୨.୨୦, ଆସାମରେ ୮୧.୩୦ ଏବଂ ଓଡ଼ିଶାରେ ୮୧ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Share