ଗୋମାତା ସୁରକ୍ଷା ପାଇଁ ଭାରତ ପରିଭ୍ରମଣ: ବସ୍ତାରେ ପହଞ୍ଚିଲେ ଇଞ୍ଜିନିୟର ଶିବରାଜ

ବସ୍ତା, ୧୬।୫(ଡି.ଏନ.ଏ.) : ଗୋମାତାଙ୍କ ସୁରକ୍ଷା ତଥା ଗୋହତ୍ୟା ବନ୍ଦ ପାଇଁ ଜଣେ ଇଞ୍ଜିନିୟର ସଚେତନତା ପଦଯାତ୍ରାରେ ସାରା ଭାରତ ଭ୍ରମଣ କରିବା ଅବସରରେ ଚାଲି ଚାଲି ରବିବାର ସନ୍ଧ୍ୟାରେ ବସ୍ତାରେ ପହଞ୍ଚିଛନ୍ତି। ରାଜସ୍ଥାନର ଜୟପୁର ନିବାସୀ ଶିବରାଜ ସିଂ ଶେଖାଓ୍ବତ ୨୦୨୧ ଡିସେମ୍ବର ୨୧ ତାରିଖରୁ ରାମେଶ୍ୱରରୁ ବାହାରିଛନ୍ତି। ଦୀର୍ଘଦିନ ଧରି ପଦଯାତ୍ରା କରି ହିନ୍ଦୁମାନଙ୍କୁ ଗୋମାତାର ସୁରକ୍ଷା ବିଷୟରେ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି। ସେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଛତିଶଗଡ ପଦଯାତ୍ରା ଶେଷ କରି ଓଡିଶାରେ ପହଞ୍ଚିଛନ୍ତି। ସେ ତାଙ୍କର ଏହି କଷ୍ଟକର ପଦାଯାତ୍ରା ସମୟରେ ଏକାକୀ ବିଭିନ୍ନ ସଙ୍ଗଠନ ତଥା ବ୍ୟକ୍ତିବିଶେଷଙ୍କୁ ତାଙ୍କର ଅଭିପ୍ରାୟ ବିଷୟରେ ଅବଗତ କରିଛନ୍ତି। ଗୋମାତଙ୍କ ସୁରକ୍ଷା ଦିଗରେ ସଭିଏଁ ସଚେତନ ରହିବା ସହ ସରକାର ମଧ୍ୟ ଏ ଦିଗରେ ଆଇନ ପ୍ରଣୟନ କରି ଗୋହତ୍ୟା ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି।
ବିଭିନ୍ନ ସ୍ଥାନରେ ଗୋଶାଳା ଖୋଲାଯିବା ତଥା ବିଭିନ୍ନ ଗୋଚର ଜମିରେ ସରକାରଙ୍କ ତରଫରୁ ଗୋରୁମାନଙ୍କ ରହିବା ପାଇଁ ବନ୍ଦୋବସ୍ତ କରିବା ଜରୁରୀ ବୋଲି ଜଣାଇଛନ୍ତି। ପ୍ରତ୍ୟେକ ଦିନ ସେ ପ୍ରାୟ ୨୦ରୁ ୩୦ କି.ମି. ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାଆନ୍ତି।