ଲକ୍‌ଡାଉନ୍‌ ମୁହାଁ ଭାରତ: ପୁଣି ଫେରିଲା କରୋନା

ନୂଆଦିଲ୍ଲୀ,୨୨।୧୧: ଭାରତରେ କରୋନା ମହମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ ପୁଣି ଥରେ କରୋନା ଆତଙ୍କ ଫେରିଛି। ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟର ବଡ଼ ବଡ଼ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏହାଦ୍ୱାରା ଭାରତ ପୁଣି ଲକ୍‌ଡାଉନ୍‌ ମୁହାଁ ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶର ଇନ୍ଦୋର, ଗୁଜରାଟର ସୁରଟ ଏବଂ ରାଜକୋଟରେ ନଭେମ୍ବର ୨୧ଠାରୁ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି। ଇନ୍ଦୋରରେ ରାତ୍ର ୧୦ରୁ ସକାଳ ୬ ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରିବେ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗୁଜରାଟର ଦୁଇ ସହରରେ ରାତ୍ର ୯ରୁ ସକାଳ ୬ ପର୍ଯ୍ୟନ୍ତି କର୍ଫ୍ୟୁ ଘୋଷଣା କରାଯାଇଛି। ସେହିପରି ରାଜସ୍ଥାନର ୮ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି। ମାସ୍କ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଅମାନିଆଙ୍କୁ ୫୦୦ ଟଙ୍କାର ଜରିମାନା ଦେବା ଲାଗି ନିୟମ ପ୍ରଣୟଣ କରାଯାଇଛି। ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଅଜମେର, ଅଲଓ୍ବଲ ଏବଂ ଭୀଲଓ୍ବାଡ଼ାରେ ରାତ୍ରକାଳୀନ କର୍ଫ୍ୟୁ ଲଗାଯାଇଛି।

Share