ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନ ପିଛା ୯୦ ହଜାରରୁ ଅଧିକରେ ପହଞ୍ଚିଛି। କରୋନା ସଂକ୍ରମଣରେ ଭାରତ ବ୍ରାଜିଲ୍‌କୁ ପଛରେ ପକାଇ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା ରହିଛି। ତାଲିକାରେ ଭାରତ ତଳେ ବ୍ରାଜିଲ୍‌ ଏବଂ ରୁଷ୍‌ ରହିଛନ୍ତି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ଟପିଛି। ଅପରପକ୍ଷରେ ବ୍ରାଜିଲ୍‌ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ରହିଛି। ତେବେ ଦେଶରେ ସୁସ୍ଥ ହେବା ହାର ଚିକିତ୍ସିତ ହେଉଥିବା ଆକ୍ରାନ୍ତଠାରୁ ଅଧିକ ରହିଛି। ସୁସ୍ଥଙ୍କ ସଂଖ୍ୟା ଚିକିତ୍ସିତଙ୍କ ସଂଖ୍ୟା ଠାରୁ ସାଢ଼େ ୩ ଗୁଣା ଅଧିକ ରହିଛି। ସୁସ୍ଥଙ୍କ ସଂଖ୍ୟା ୩୧ ଲକ୍ଷ ୮୦ ହଜାରରୁ ଅଧିକ ଥିବାବେଳେ ଚିକିତ୍ସିତଙ୍କ ସଂଖ୍ୟା ୮ଲକ୍ଷ ୬୨ ହଜାରରୁ ଅଧିକ ରହିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶର ସୁସ୍ଥ ହେବା ହାର ୭୭ ପ୍ରତିଶତ ରହିଛି। ୬ଟି ରାଜ୍ୟରେ ସୁସ୍ଥ ହେବା ହାର ୮୦ ପ୍ରତିଶତରୁ ଅଧିକ ରହିଛି। ସେଥିମଧ୍ୟରୁ ଦିଲ୍ଲୀରେ ସୁସ୍ଥ ହେବା ହାର ୮୯ ପ୍ରତିଶତ, ବିହାରରେ ୮୮, ତାମିଲନାଡୁରେ ୮୬, ପଶ୍ଚିମବଙ୍ଗରେ ୮୩, ରାଜସ୍ଥାନରେ ୮୨ ଏବଂ ଗୁଜରାଟରେ ୮୧ ପ୍ରତିଶତ ରହିଛି।

Share