Categories: ଜାତୀୟ

ଚାଇନା ସୀମାରେ ଯୁଦ୍ଧାଭ୍ୟାସ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ,୪ ।୮: ଚାଇନା ସୀମା(ଏଲଏସି)ରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ଓ ଆମେରିକା ସେନା ଆସନ୍ତା ଅକ୍ଟୋବରରେ ଉତ୍ତରାଖଣ୍ଡର ଓଲିରେ ଯୁଦ୍ଧାଭ୍ୟାସ କରିବାକୁ ଯାଉଥିବା ସୂଚନା ମିଳିଛି । ଭାରତ ଓ ଆମେରିକା ସେନାଙ୍କ ମଧ୍ୟରେ ଏହା ମିଲିଟ୍ରି ଏକ୍ସରସାଇଜର ୧୮ତମ ସଂସ୍କରଣ । ଏହି ଯୁଦ୍ଧାଭ୍ୟାାସ ଗୋଟିଏ ବର୍ଷ ଆମେରିକାରେ ଓ ଆଉ ଗୋଟିଏ ବର୍ଷ ଭାରତରେ ହୋଇଥାଏ । ଗତବର୍ଷ ଯୁଦ୍ଧାଭ୍ୟାସ ଆମେରିକାର ଆଲାସ୍କାରେ ହୋଇଥିଲା । ସେଥିପାଇଁ ଚଳିତ ବର୍ଷ ଏହା ଭାରତରେ ହେବାକୁ ଯାଉଛି ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ପ୍ରତିରକ୍ଷା ବିଭାଗର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଯୁଦ୍ଧାଭ୍ୟାସ ୧୪-୩୧ ଅକ୍ଟୋବର ମଧ୍ୟରେ ହେବ । କୁହାଯାଉଛି କି ଏହି ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ ହେଉଛି ଭାରତ ଓ ଆମେରିକା ସେନାଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସହଯୋଗ ଓ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା । କିଛି ବର୍ଷ ହେବ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବାରେ ଲାଗିଛି । ୨୦୧୬ରେ ଆମେରିକା ଭାରତକୁ ‘ମୁଖ୍ୟ ପ୍ରତିରକ୍ଷା ଅଂଶିଦାର’ ଭାବେ ନାମିତ କରିଥିଲା ।
କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଏବଂ ସୁରକ୍ଷା ଚକ୍ତିନାମା ବି ସ୍ୱାକ୍ଷରିତ ହୋଇଛି । ୨୦୧୬ରେ ଲଜିଷ୍ଟିକ ଏକ୍ସଚେଞ୍ଚ ମେମୋରେଣ୍ଡମ ଅଫ୍ ଏଗ୍ରିମେଣ୍ଟ(ଏଳଇଏମଓଏ) ସାମିଲ ରହିଛି ।

Share