ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଆମେରିକା ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ମଙ୍ଗଳବାର ଆରମ୍ଭ ହୋଇଛି । ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେଓ ଓ ପ୍ରତିରକ୍ଷାମନ୍ତ୍ରୀ ମାର୍କ ଏସ୍ପର ନିଜର ଭାରତୀୟ ସମକକ୍ଷ ଏସ୍. ଜୟଶଙ୍କର ଓ ରାଜନାଥ ସିଂଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯାଗ ଦେଇଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବେସିକ ଏକ୍ସଚେଞ୍ଚ ଆଣ୍ଡ କୋପରେଶନ ଏଗ୍ରିମେଣ୍ଟ(ବିଇସିଏ)ଉପରେ ସହମିତି ପ୍ରକାଶ ପାଇଛି । ଭାରତ-ଚାଇନା ସୀମା ବିବାଦ ଚାଲିଥିବା ବେଳେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଅନ୍ୟପଟେ ରାଷ୍ଟ୍ରୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଥ ବ୍ଲକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେଓ ଓ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପରଙ୍କ ସହ ଏକ ବୈଠକ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଏହି ବୈଠକରେ ସେମାନେ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଆହ୍ୱାନ ଉପରେ ଆଲୋଚନା କରିଥିଲେ । ଏହାସହ ନିରାପଦ, ସ୍ଥିର ଏବଂ ନିୟମ ଆଧାରିତ ଆଞ୍ଚଳିକ ଏବଂ ବିଶ୍ୱ ସୁରକ୍ଷା ପରିବେଶକୁ ନିଶ୍ଚିତ କରିବା ପାଇଁ ଉଭୟ ପକ୍ଷ ସାଧାରଣ ଉଦ୍ଦେଶ୍ୟ ଅନୁସରଣ କରିବା ଏବଂ ସମସ୍ତ ଡୋମେନରେ ଦକ୍ଷତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି ।