Categories: ଜାତୀୟ

ଲଢୁଆ ଯାନ ନିର୍ମାଣ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ,୧୧ା୧୧: ପ୍ରତିରକ୍ଷା ଶିଳ୍ପ ସହଯୋଗର ଅଂଶବିଶେଷ ଭାବେ ଭାରତ ଏବଂ ଆମେରିକା ମିଳିତ ଭାବେ ଲଢ଼ୁଆ ଯାନ ନିର୍ମାଣ କରିବେ ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ଶୁକ୍ରବାର କହିଛନ୍ତି। ଏହା ବ୍ୟତୀତ ଆମେରିକା ଭାରତକୁ ୩୧ଟି ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଖୁବ୍‌ଶୀଘ୍ର ଯୋଗାଇଦେବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛି ଓ ଠିକ୍‌ ସମୟରେ ତାହା ଘୋଷଣା କରାଯିବ। ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ମହାକାଶରୁ ସମୁଦ୍ର ଗର୍ଭ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବଢ଼ାଇବାକୁ ପଦକ୍ଷେପ ନିଆଯାଉଥିବା ଅଷ୍ଟିନ୍‌ କହିଛନ୍ତି। ଦିଲ୍ଲୀରେ ଦୁଇଦେଶର ପ୍ରତିରକ୍ଷା ଓ ବହିର୍ବ୍ୟାପାର ମନ୍ତ୍ରଣାଳୟସ୍ତରୀୟ ଆଲୋଚନା ପରେ ଅଷ୍ଟିନ୍‌ ଖବରଦାତାମାନଙ୍କୁ ଏହି ସୂଚନା ଦେଇଛନ୍ତି। ଅଷ୍ଟିନ୍‌ଙ୍କ ସହ ଆମେରିକା ପ୍ରତିନିଧି ଦଳରେ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଥିବାବେଳେ ଭାରତ ପକ୍ଷର ନେତୃତ୍ୱ ନେଇଥିଲେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚାଇନାଠାରୁ ସୁରକ୍ଷାଗତ ଚ୍ୟାଲେଞ୍ଜ ବଢ଼ୁଥିବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ଭାରତ-ଆମେରିକା ସମ୍ପର୍କ କେବଳ ଚାଇନାର ଚ୍ୟାଲେଞ୍ଜ ଉପରେ ଆଧାରିତ ନୁହେଁ, ବରଂ ଦୁଇ ଦେଶର ମିଳିତ ମୂଲ୍ୟବୋଧ ଆଧାରରେ ବୋଲି କୁହାଯାଇଛି।
ଦୁଇ ଦେଶର କୂଟନୈତିକ ଓ ପ୍ରତିରକ୍ଷା ମୁଖ୍ୟମାନେ ଆଲୋଚନାରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା, ଚାଇନା ଏବଂ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିବା ଆମେରିକା ପରରାଷ୍ଟ୍ର ସଚିବ ବ୍ଲିଙ୍କେନ୍‌ କହିଛନ୍ତି। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ଅବାଧ ଓ ସମୃଦ୍ଧ କରିବା ପାଇଁ କ୍ୱାଡ୍‌ ସହଯୋଗୀ ଜାପାନ, ଅଷ୍ଟ୍ରେଲିଆ ସହ ମିଶି କାର୍ଯ୍ୟ କରିବୁ ବୋଲି ବୈଠକ ଶେଷରେ ବ୍ଲିଙ୍କେନ୍‌ କହିଛନ୍ତି।

Share