ପ୍ରଥମ ଥର ଭାରତ ୟୁଏନ୍‌ଏସ୍‌ସିରେ ରୁଷିଆ ବିରୋଧରେ ଦେଲା ଭୋଟ

ଓ୍ବାଶିଂଟନ୍‌,୨୫।୮: ରୁଷିଆ-ୟୁକ୍ରେନ ମଧ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେଲାଣି ଯୁଦ୍ଧ ଜାରି ରହିଛି। ହେଲେ ଏହାପୂର୍ବରୁ ମିଳିତ ଜାତିସଂଘରେ ହୋଇଥିବା ମତଦାନ ସମୟରେ ଭାରତ ନିଜକୁ ଦୂରେଇ ରଖିଥିଲା। ହେଲେ ପ୍ରଥମ ଥର ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ବୁଧବାର ୟୁକ୍ରେନ ଉପରେ ପ୍ରକ୍ରିୟାଗତ ମତଦାନରେ ଭାରତ ସାମିଲ ହୋଇ ରୁଷିଆ ବିରୋଧରେ ଭୋଟ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜାତିସଂଘର ୧୫ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଏହି ସମୟରେ ଭିଡିଓ-ଟେଲି କନଫରେନ୍ସ ମାଧ୍ୟମରେ ବୈଠକକୁ ସମ୍ବୋଧିତ କରିବାକୁ ଆମନ୍ତ୍ରଣ କରିଥିଲେ। ଫେବୃୟାରୀରେ ରୁଷିଆର ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ୟୁକ୍ରେନ ପ୍ରସଙ୍ଗରେ ଭାରତ ପ୍ରଥମ ଥର ପାଇଁ ରୁଷିଆ ବିରୋଧରେ ଭୋଟ ଦେଇଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନେ ରୁଷିଆ ଉପରେ କଠୋର ଆର୍ଥିକ ତଥା ଅନ୍ୟାନ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ୟୁକ୍ରେନ ବିରୋଧରେ ରୁଷିଆର ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ। ସୂଚନା ମୁତାବକ, ୟୁକ୍ରେନ ସ୍ବାଧୀନତାର ୩୧ ତମ ବାର୍ଷିକୀ ଅବସରରେ ୬ମାସର ଯୁଦ୍ଧର ସମୀକ୍ଷା ପାଇଁ ସୁରକ୍ଷା ପରିଷଦ ବୁଧବାର ଏକ ବୈଠକ କରିଥିଲା। ଏହି ବୈଠକ ଏକ ପ୍ରକ୍ରିୟାଗତ ଭୋଟ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଜଣ ସଦସ୍ୟ ଏହା ସପକ୍ଷରେ ଭୋଟ ଦେଇଥିଲେ। ହେଲେ ରୁଷିଆ ଏହି ନିମନ୍ତ୍ରଣ ବିରୋଧରେ ଭୋଟ ଦେଇଥିବା ବେଳେ ଚାଇନା ଏଥିରୁ ଦୂରେଇ ରହିଛି।

Share