Categories: ଖେଳ

ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ : ଅଷ୍ଟ୍ରେଲିଆନ କୋଚ୍‌

ବ୍ରିସବେନ,୧୯।୧: ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ରୁ ଗୋଟେ ଶିକ୍ଷା ପାଇଛୁ। ଭାରତୀୟ ଖେଳାଳିଙ୍କୁ କଦାପି ହେୟ ମନେ କରିବା ଉଚିତ ନୁହେଁ। ଭାରତଠାରୁ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ହାରିବା ପରେ କିଛି ଏଭଳି କହିଛନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଆହତ ସମସ୍ୟା ଯୋଗୁ ବହୁ ସିନିୟର ଖେଳାଳି ସିରିଜ୍‌ରୁ ବାଦ୍‌ ପଡ଼ିବା ପରେ ମଧ୍ୟ ଟିମ୍‌ ଇଣ୍ଡିଆ ସିରିଜ୍‌କୁ ୨-୧ ବ୍ୟବଧାନରେ ହାତେଇଛି।

ଏହା ଅବିଶ୍ୱସନୀୟ ଟେଷ୍ଟ ସିରିଜ୍‌ ଥିଲା। ସର୍ବଦା ଶେଷରେ ଜଣେ ବିଜେତା ହୋଇଥାଏ। ଆଜିର ବିଜେତା ଟେଷ୍ଟ କ୍ରିକେଟ। ଭାରତୀୟ ଦଳଠୁ ମିଳିଥିବା ପରାଜୟ ଆମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଧିବ। ସେମାନେ ଚମତ୍କାର ଖେଳିଲେ। ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ୪୦ ରନ୍‌ ମଧ୍ୟରେ ଅଲଆଉଟ୍‌ କରିବା ପରେ ଆମେ ମ୍ୟାଚ୍‌କୁ ୩ ଦିନରେ ଜିତି ନେଇଥିଲୁ। ଏହା ପରେ ସିରିଜ୍‌ ଫେରି ବାଜିମାରିବା ଅବିଶ୍ୱସନୀୟ କଥା। ଭାରତୀୟ ଖେଳାଳିଙ୍କୁ ଏଥି ନେଇ ଶ୍ରେୟ ଦେବାକୁ ପଡ଼ିବ। କିନ୍ତୁ ଆମକୁ ମ୍ୟାଚ୍‌ରୁ ଏକ ଶିକ୍ଷା ମିଳିଲା, କଦାପି ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ। ଦେଢ଼ ଶହ କୋଟି ଲୋକଙ୍କ ଦେଶର ସିନିୟର ଦଳରେ ଖେଳିବା ସହଜ ନୁହେଁ ବୋଲି ଲାଙ୍ଗର କହିଛନ୍ତି।