ବ୍ରିସବେନ୍,୧୩।୧: ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବ୍ରିସବେନ୍ରେ ପହଞ୍ଚିଛି। ଏଠାରେ ଦଳ ଉପରେ ଅନେକ ‘ପ୍ରତିବନ୍ଧକ’ ଅଛି। ଖେଳାଳିମାନେ ହୋଟେଲରେ ବିଭିନ୍ନ ସୁବିଧା ପାଉନାହାଁନ୍ତି। ଯେଉଁ ହୋଟେଲରେ ଭାରତୀୟ ଦଳ ରହିଛନ୍ତି, ସେଠାରେ ଖେଳାଳିମାନେ ହାଉସକିପିଂ ସେବା ବ୍ୟତୀତ ସୁଇମିଂ ପୁଲ ବ୍ୟବହାର କରିପାରିବେ ନାହିଁ। ବ୍ରିସବେନ ଏକ ହଟସ୍ପଟ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବାରୁ ଏଭଳି କରାଯାଇଛି। ନ୍ୟୁ ସାଉଥ ୱେଲ୍ସ ସୀମାରେ ଲକଡାଉନ ହେତୁ ହୋଟେଲରେ କ୍ୱାରାଣ୍ଟାଇନ ନିୟମ ରହିଛି। ଟିମ ଇଣ୍ଡିଆ ସହିତ ଯାତ୍ରା କରୁଥିବା ଜଣେ ସଦସ୍ୟଙ୍କ କହିବାନୁସାରେ, ଆମେ କୋଠରୀରେ ବନ୍ଦ ରହିଛୁ। ଆମେ ନିଜ ଶୌଚାଳୟ ସଫା କରି ନିଜର ଶେଯ ବିଛାଉଛୁ। ନିକଟସ୍ଥ ଭାରତୀୟ ରେଷ୍ଟୁରାଣ୍ଟରୁ ଆମ ପାଇଁ ଖାଦ୍ୟ ମଧ୍ୟ ଆସୁଛି। ପୁରା ହୋଟେଲ ଖାଲି ଅଛି, ତଥାପି ଆମେ ସୁଇମିଂ ପୁଲ ଏବଂ ଜିମ ସହିତ ହୋଟେଲର କୌଣସି ସୁବିଧା ବ୍ୟବହାର କରିପାରିବୁ ନାହିଁ। ହୋଟେଲର ସମସ୍ତ କାଫେ ଏବଂ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ରହିଛି। ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି। ଏହି ସିରିଜର ନିର୍ଣ୍ଣାୟକ ମ୍ୟାଚ ଜାନୁୟାରୀ ୧୫ରୁ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳାଯିବ।