ଇଣ୍ଡିଆ ବନାମ ଭାରତ ବିବାଦ: ବ୍ଲୁ ଡାର୍ଟ କଲା ନାମ ପରିବର୍ତ୍ତନ

ନୂଆଦିଲ୍ଲୀ,୧୩।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗି ରହିଛି। ତେବେ ସେପ୍ଟେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଏନେଇ ସରକାରଙ୍କର କଣ ଆଭିମୁଖ୍ୟ ରହିଛି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ଲଜିଷ୍ଟିକ କମ୍ପାନୀ ବ୍ଲୁ ଡାର୍ଟ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ବର୍ତ୍ତମାନ ଏହାର ପ୍ରିମିୟମ ସେବା ‘ଡାର୍ଟ ପ୍ଲସ’ର ନାମ ପରିବର୍ତ୍ତନ କରି ‘ଭାରତ ପ୍ଲସ’ କରିଛି। ବ୍ଲୁ ଡାର୍ଟ କହିଛି, କୂଟନୈତିକ ପରିବର୍ତ୍ତନ ଦ୍ୱାରା କମ୍ପାନୀ ଭବିଷ୍ୟତରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ। ଭାରତର ବୃହତ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ପ୍ରତିବଦ୍ଧ।

ଏହି ନିଷ୍ପତ୍ତି ପଛର କାରଣ ବର୍ଣ୍ଣନା କରି ବ୍ଲୁ ଡାର୍ଟ କହିଛି ଯେ, ଆମ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି ପରିବର୍ତ୍ତନ କରିଛୁ। ସମସ୍ତ ଗ୍ରାହକଙ୍କୁ ଏହି ପରିବର୍ତ୍ତନଶୀଳ ଯାତ୍ରାରେ ଯୋଗଦେବାକୁ ଆମନ୍ତ୍ରଣ କରୁଛି ଯେହେତୁ ଆମେ ଭାରତକୁ ବିଶ୍ୱ ସହ ଏବଂ ବିଶ୍ୱକୁ ଭାରତ ସହ ଯୋଡିବା ଜାରି ରଖିବୁ।

Share