ପୁଣେ, ୨୭।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା। ଇଂଲଣ୍ଡ ବିଜୟରେ ଜନ ବେୟାରଷ୍ଟୋ ଏବଂ ବେନ୍ ସ୍କୋକ୍ସ ଭଲ ପ୍ରଦର୍ଶନ କରିଥିଲେ। ତେବେ ଭାରତ ଦ୍ୱିତୀୟ ମ୍ୟାଚରେ ପରାଜୟ ହୋଇଥିବା ବେଳେ କେଏଲ୍ ରାହୁଲ ଶତକ ହାସଲ କରିଥିଲେ। ସେ ୧୧୪ ବଲରେ ୧୦୮ ରନ୍ କରି ଚମତ୍କାର ଇନିଂସ ଖେଳିଥିଲେ। ରାହୁଲ ଶତକ ହାସଲ କରିବା ପରେ ଏକ ବିଶେଷ ଢଙ୍ଗରେ ଉତ୍ସବ ମନାଇଥିଲେ। ଯାହାକି ଏବେ ଚର୍ଚ୍ଚାରେ ରହିଛି। ଶତକ ମାରିବା ପରେ ରାହୁଲ ଡ୍ରେସିଂ ରୁମ୍ ଆଡକୁ ମୁହଁକରି କାନ ବନ୍ଦ କରିଥିଲେ। ଟି-୨୦ ସିରିଜ୍ରେ ବିଫଳତା ପରେ ସେ ସମାଲୋଚନା ପ୍ରତି ଧ୍ୟାନ ଦେଇ ନଥିବା ଇଙ୍ଗିତରେ ଦର୍ଶାଇଥିଲେ। ତେବେ ପରେ ଏ ନେଇ ରାହୁଲ କହିଥିଲେ ଯେ, ଏହା କେବଳ ଶବ୍ଦ ବନ୍ଦ ପାଇଁ ଥିଲା, କାହାକୁ ଅସମ୍ମାନ କରିବା ପାଇଁ ନୁହେଁ ।