Categories: ଖେଳ

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ଆଜି କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୧-୦ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆ ଗତି ବଜାୟ ରଖି ଟି-୨୦ ପରି ଦିନିକିଆ ସିରିଜ ମଧ୍ୟ ନିଜ ନାମରେ କରିବାକୁ ଚେଷ୍ଟା କରିବ। ସେହିପରି ଇଂଲଣ୍ଡ ଦଳର ନୂତନ ଭାବେ ନିଯୁକ୍ତ ଅଧିନାୟକ ଜୋସ ବଟଲର ପ୍ରତ୍ୟାବର୍ତ୍ତନ ଆଶା କରୁଛନ୍ତି।
ଭାରତୀୟ ଦଳ ପ୍ରଥମ ଦିନିକିଆରେ ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରିଥିଲା। ପେସର ଜଶପ୍ରୀତ ବୁମ୍‌ରା ୬ ଉଇକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଅଧିନାୟକ ରୋହିତ ଶର୍ମା ୭୬ ରନର ଅପରାଜିତ ଇନିଂସ ଖେଳିଥିଲେ। ପ୍ରଥମ ଉଇକେଟ ପାଇଁ ରୋହିତ ଏବଂ ଶିଖର ଧାୱନ ଓପନିଂ ଯୋଡି ଏକ ଶତକୀୟ ଭାଗିଦାରୀ କରି ୧୦ ଉଇକେଟରେ ଦଳକୁ ଜିତାଇଥିଲେ। ଏହାପୂର୍ବରୁ ଭାରତ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଥିଲା।
ଭାରତ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ୧୦ଟି ଦିନିକିଆ ସିରିଜ୍‌ ଜିତିଛି, କିନ୍ତୁ ଇଂଲଣ୍ଡ ମାଟିରେ କେବଳ ତିନୋଟି ସିରିଜ ଜିତିଛି। ଶେଷ ଥର ପାଇଁ ଭାରତ ୨୦୧୪ରେ ଇଂଲଣ୍ଡରେ ୩-୧ ସିରିଜ୍‌ ବିଜୟ ହାସଲ କରିଥିଲା। ଇଂଲଣ୍ଡ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଆଠଟି ସିରିଜ ଜିତିଛି। ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ନଜର ସିରିଜ ଜିତିବା ଉପରେ ରହିବ।
ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଲର୍ଡସରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ୫.୩୦ରେ ଆରମ୍ଭ ହେବ। ଟସ୍‌ ୫.୦୦ଟାରେ ହେବ। ସୋନି ସିକ୍ସ ଏବଂ ସୋନି ଏଚ୍‌ଡିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକଆ ମ୍ୟାଚର ଲାଇଭ ଦେଖିହେବ। ସୋନି ଲାଇଭ ଆପରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

 

Share