ମାଞ୍ଚେଷ୍ଟର,୧୦।୯: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଶୁକ୍ରବାରଠାରୁ ଖେଳାଯିବାର ଥିଲା। ହେଲେ କରୋନା ଯୋଗୁ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସହ ଆଲୋଚନା କରିବା ପରେ ପଞ୍ଚମ ଟେଷ୍ଟ ବାତିଲ କରିବାକୁ ଇସିବି ନିଶ୍ଚିତ କରିଛି। ଭାରତୀୟ ଦଳ ମଧ୍ୟରେ କରୋନା ମାମଲା ଆସିବା ପରେ ମ୍ୟାଚ୍କୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଶୁକ୍ରବାର ସକାଳେ ପ୍ରଥମ ଦିନ ଖେଳ ବନ୍ଦ ହୋଇପାରେ ବୋଲି ଖବର ଆସିଥିଲା। ହେଲେ ପରେ ମ୍ୟାଚ୍କୁ ବାତିଲ କରାଯାଇଥିବା ସ୍ପଷ୍ଟ ହୋଇଛି।
ଭାରତୀୟ ଦଳର ଖେଳାଳିମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବାର ଭୟ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଦଳ ଖେଳାଳିମାନଙ୍କୁ ମଇଦାନକୁ ପଠାଇବା ଲାଗି ଅସମର୍ଥତା ପ୍ରକାଶ କରିବା ସହ ଦୁଃଖ ପ୍ରକାଶ କରିଥିଲା। ଏଭଳି ସ୍ଥିତିରେ ମ୍ୟାଚ୍କୁ ବାତିଲ କରିବାକୁ ଇସିବି ନିଷ୍ପତ୍ତି ନେଇଥିଲା।
ପ୍ରକାଶ ଯେ, ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଥିଲା। ଅନ୍ତିମ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଫିଜିଓ କରୋନା ଆକ୍ରାନ୍ତ ନେଇ ରିପୋର୍ଟ ଆସିଥିଲା। ଏହାପରେ ଟେଷ୍ଟ ଉପରେ ଅନିଶ୍ଚିତତା ଦେଖାଦେଇଥିଲା। ଶେଷରେ ଏହାକୁ ବାତିଲ କରିଦିଆଯାଇଛି।