Categories: ଖେଳ

ନ୍ୟୁୟର୍କରେ ଇଣ୍ଡିଆ ବନାମ ମିନି ଇଣ୍ଡିଆ

ନ୍ୟୁୟର୍କ, ୧୨ା୬ (ପି.ଟି.): ଟି୨୦ ବିଶ୍ୱକପ୍‌ରେ ବୁଧବାର ଆମେରିକା ବିପକ୍ଷରେ ଭାରତ ଏହାର ତୃତୀୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌କୁ ଇଣ୍ଡିଆ ବନାମ ମିନି ଇଣ୍ଡିଆ ମ୍ୟାଚ୍‌ ଭାବରେ ବିବେଚନା କରାଯାଉଛି। ଆମେରିକା ଦଳରେ ୫-୬ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଥିବାରୁ ଏହାକୁ ମିନି ଇଣ୍ଡିଆ କୁହାଯାଉଛି। ତେଣୁ ଭାରତ ଓ ମିନି ଭାରତ ମଧ୍ୟରେ ମ୍ୟାଚ୍‌କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଭାରତ ପାଇଁ ଖେଳିବାର ଆଶା ପୂରଣ ହୋଇ ନ ଥିବା ଅନେକ ଖେଳାଳି ବର୍ତ୍ତମାନ ଏକ ବିଶ୍ୱକପ୍‌ ଖେଳୁଥିବା ବେଳେ ନିଜ ଦେଶ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ଉଭୟ ଦଳ ପ୍ରଥମ ୨ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ବୁଧବାର ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ ସୁପର୍‌-୮ ପାଇଁ ଯୋଗ୍ୟତା ଅର୍ଜନ କରିବ। ତେବେ ଭାରତ ଏହି ମ୍ୟାଚ୍‌ରେ ନିଜ ବ୍ୟାଟିଂକୁ ସଶକ୍ତ କରିବାକୁ ଚାହିଁବ। ନାସାଉ କାଉଣ୍ଟି ଷ୍ଟାଡିୟମ ପିଚ୍‌ରେ ବୋଲରଙ୍କୁ ସହାୟତା ମିଳୁଥିବା ବେଳେ ବ୍ୟାଟରଙ୍କ ପାଇଁ ଏହା ଦୁଃସ୍ବପ୍ନ ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଏହାର ଅନ୍ତିମ ୭ ଉଇକେଟ ମାତ୍ର ୨୮ ରନ୍‌ରେ ହରାଇଥିଲା।
ଆମେରିକା ଦଳରେ ରହିଥିବା ଖେଳାଳିଙ୍କ ମଧ୍ୟରୁ ସୌରଭ ନେତ୍ରଭଲକର, ମୋନାଙ୍କ ପଟେଲ, ହରମିତ୍‌ ସିଂ ଓ ମିଲିନ୍ଦ କୁମାର ଭାରତରେ ଘରୋଇ କ୍ରିକେଟ ଖେଳି ସାରିଛନ୍ତି। ଏହା ବ୍ୟତୀତ ଦଳରେ ୨ ଜଣ ପାକିସ୍ତାନୀ, ଓ୍ବେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସର ଜଣେ ଲେଖାଏ ଖେଳାଳି ସାମିଲ ରହିଛନ୍ତି। ଆମେରିକା ଏହାର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରିଥିଲା। ଭାରତ ବିପକ୍ଷରେ ଦଳ ସମାନ ମ୍ୟାଜିକ୍‌ ଦୋହରାଇବାକୁ ଚାହିଁବ। ନ୍ୟୁୟର୍କରେ ଏହା ଭାରତର ଅନ୍ତିମ ମ୍ୟାଚ୍‌ ହୋଇଥିବା ବେଳେ ଦଳ ବିଜୟୀ ହୋଇ ସୁପର୍‌-୮ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାହିଁବ। ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳିଙ୍କ ବିପକ୍ଷରେ ଖେଳିବା ଅଭିଜ୍ଞତା ଆମେରିକୀୟ ଖେଳାଳିଙ୍କୁ ମିଳିବ। ଭାରତ ଯଦି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନିଏ ତା’ ହେଲେ ଆମେରିକା ତିନି ଅଙ୍କ ସ୍କୋରରେ ପହଞ୍ଚିବା କଷ୍ଟସାଧ୍ୟ। ବୁମ୍‌ରା, ସିରାଜ, ଜାଡେଜା ଓ ଅର୍ଶଦୀପ ସିଂଙ୍କ ବୋଲିଂ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ନାସାଉରେ ଆଉ ଏକ ମୁମ୍ବାଇ ଲଢେଇ ଦେଖିବାକୁ ମିଳିବ। ବିଭିନ୍ନ ବର୍ଗରେ ମୁମ୍ବାଇର ପ୍ରତିନିଧିତ୍ୱ କରିଥିବା ସୌରଭ ନେତ୍ରଭଲକର ନିଜର ପୂର୍ବତନ ଟିମ୍‌ ମେଟ୍‌ ସୂର୍ଯ୍ୟକୁମାରଙ୍କ ବିପକ୍ଷରେ ଖେଳିବେ। ଭାରତ ତଥା ଖାସ୍‌ କରି ସୂର୍ଯ୍ୟକୁମାରଙ୍କ ବିପକ୍ଷରେ ବୋଲିଂ କରିବା ତାଙ୍କ ପାଇଁ ଇମୋଶନାଲ ଯାତ୍ରା ରହିବ ବୋଲି କହିଛନ୍ତି ସୌରଭ ନେତ୍ରଭଲକର।
ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତର ଶିବମ ଦୁବେଙ୍କ ପ୍ରଦର୍ଶନ ଦଳ ପାଇଁ ବୋଝ ହୋଇଛିି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଇମ୍ପାକ୍ଟ ପ୍ଲେୟର ଭାବରେ ଆଇପିଏଲ୍‌ରେ ଖେଳିଥିବା ଦୁବେଙ୍କ ବ୍ୟାଟ ନୀରବ ରହିଥିବା ବେଳେ ସେ ବୋଲିଂ ମଧ୍ୟ କରୁନାହାନ୍ତି। ଅନ୍ୟପକ୍ଷରେ ଦୁବେଙ୍କ ସ୍ଥାନରେ ଭାରତ ଜଣେ ଅତିରିକ୍ତ ସ୍ପିନର ଖେଳାଇପାରେ। ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।

Share