Categories: ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଶତକ ପରେ ଦୀପକ ହୁଡାଙ୍କ ବୋଲିଂ ଯାଦୁରେ ଘରୋଇ ଦଳ ଧରାଶାୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ୧୮.୫ ଓଭରରେ ମାତ୍ର ୧୨୬ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ୬୫ ରନର ବିଜୟ ସହ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ଭାରତର ୧୯୨ ରନ୍‌ର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରି ନ ଥିଲା। ଭୁବନେଶ୍ୱର କୁମାର ପ୍ରଥମ ଓଭରରେ ଫିନ ଆଲେନଙ୍କ ରୂପରେ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଷ୍ଟାର୍‌ ଡିଭନ କନୱେ ୱାଶିଂଟନ ସୁନ୍ଦରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏହି ମ୍ୟାଚରେ ଦୀପକ ହୁଡା ଚାରିଟି ଉଇକେଟ ନେଇ କିୱି ଦଳକୁ ଧରାଶାୟୀ କରିଥିଲେ। ୨.୫ ଓଭରରେ ମାତ୍ର ୧୦ ରନ ଦେଇ ହୁଡା ୪ ଉଇକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ ୱିଲିୟମସନ ୫୨ ବଲରୁ ୬୨ ରନ୍‌ର ସର୍ବାଧିକ ସ୍କୋର କରିଥିଲେ।
ଟସ ହାରି ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଭଲ ନ ଥିଲା। ଭାରତର ପ୍ରଥମ ଉଇକେଟ ୩୬ ରନ ସ୍କୋରରେ ପଡିଥିଲା। ରିଷଭ ପନ୍ତ ୧୩ ବଲରେ ୬ ରନ ସ୍କୋର କରିବା ପରେ ଆଉଟ୍‌ ହୋଇଥିଲେ। ଏହା ପରେ ଇଶାନ କିଶନ ଦ୍ରୁତ ରନ ସ୍କୋର କରି ଭାରତର ସ୍କୋରକୁ ୫୦ ରନ ପାର୍‌ କରିଥିଲେ, କିନ୍ତୁ ସେ ମଧ୍ୟ ୩୧ ବଲରେ ୩୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।
ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବ ଦାୟିତ୍ୱର ସହ ବ୍ୟାଟିଂ କରୁଥିବାବେଳେ ଅନ୍ୟ ପଟେ ଉଇକେଟ ପଡୁଥିଲା। ୯ ବଲରେ ୧୩ ରନ ସ୍କୋର କରିବା ପରେ ଶ୍ରେୟସ ଆୟର ଆଉଟ୍‌ ହୋଇଥିଲେ। ଏଥି ସହିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲରେ ୧୩ ରନ ସଂଗ୍ରହ କରିଥିଲେ। ଦୀପକ ହୁଡା ଏବଂ ୱାଶିଂଟନ ସୁନ୍ଦର ମଧ୍ୟ ସେମାନଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ଶେଷରେ, ସୁର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ ରନ ସଂଗ୍ରହ କରିବା ପରେ ଅପରାଜିତ ରହିଥିଲେ। ସେ ତାଙ୍କ ଇନିଂସରେ ୧୧ ଚୌକା ଓ ସାତ ଛକା ମାରିଥିଲେ। ତାଙ୍କ ଶତକ ଯୋଗୁ ଭାରତ ୧୯୧ ରନ ସଂଗ୍ରହ କରିଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ତିନିଟି ଏବଂ ଲକି ଫର୍ଗୁସନ ୨ଟି ଉଇକେଟ ନେଇଥିଲେ। ଇଶସୋଡି ଗୋଟିଏ ଉଇକେଟ ପାଇଥିଲେ।

 

Share