Categories: ଖେଳ

ଦିନିକିଆ କ୍ରିକେଟ ବିଶ୍ୱକପ: ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ!

ନୂଆଦିଲ୍ଲୀ,୫।୫: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ବିଶ୍ୱକପ ଭାରତରେ ଖେଳାଯିବ। ତେବେ ଏହା ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହେବା ନେଇ କୁହାଯାଉଛି। ଏହି ସମୟରେ ବିଶ୍ୱକପ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇପାରେ। ଖବର ଅନୁଯାୟୀ, ବିସିସିଆଇ ଅହମ୍ମଦାବାଦର ସ୍ଥାନକୁ ଚୟନ କରିଥିବା ଜଣାପଡିଛି। ତେବେ ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ବିଶ୍ୱକପ ୨୦୧୯ରେ ଖେଳାଯାଇଥିଲା। ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସାରା ବିଶ୍ୱରେ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହି ଦୁଇ ଦଳ ବିଶ୍ୱକପରେ ମୁହାଁମୁହିଁ ହେବେ। ଖବର ଅନୂଯାୟୀ,ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇପାରେ। ଏହି ଷ୍ଟାଡିୟମରେ ୧ ଲକ୍ଷ ଦର୍ଶକ ବସିପାରିବେ। ଭାରତୀୟ ଦଳ ପରିଚାଳନା ସହିତ ବିସିସିଆଇ ଏହା ଉପରେ ଆଲୋଚନା କରିବ।

ଖବର ଅନୁଯାୟୀ, ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ବେଳେ ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ନଭେମ୍ବରରେ ଖେଳାଯିବ। ଏଥିପାଇଁ ଅନେକ ସ୍ଥାନ ସ୍ଥିର କରାଯାଇଛି। ନାଗପୁର, ବେଙ୍ଗାଲୁରୁ, ତ୍ରିଭାନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୁଆହାଟି, ହାଇଦ୍ରାବାଦ, କୋଲକାତା, ରାଜକୋଟ, ଇନ୍ଦୋର ଏବଂ ଧର୍ମଶାଳାକୁ ତାଲିକାଭୁକ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଚେନ୍ନାଇ, ବେଙ୍ଗାଲୁରୁ ଏବଂ କୋଲକାତାରେ ପାକିସ୍ତାନର ସମସ୍ତ ମ୍ୟାଚ ଖେଳାଯିବ ବୋଲି କୁହାଯାଉଛି।

Share