Categories: ଖେଳ

ଭାରତ ବନାମ ସ୍ପେନ

ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି। ଭବ୍ୟ ଉଦ୍‌ଘାଟନୀ ଉତ୍ସବର ଗୋଟିଏ ଦିନପରେ ଆରମ୍ଭ ହେବାକୁ ଯାଉଛି ହକିର ମହାସମର ବିଶ୍ୱକପ ୨୦୨୩। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର। ପରସ୍ପର ମଧ୍ୟରେ ଲଢ଼ିବେ ଗତଥରର ଚାମ୍ପିୟନ ବେଲଜିୟମ, ରନରଅପ୍‌ ନେଦରଲାଣ୍ଡ୍ସ, ବ୍ରୋଞ୍ଜ ବିଜୟୀ ଅଷ୍ଟ୍ରେଲିଆ ଓ ଆୟୋଜକ ଭାରତ ସମେତ ଅନ୍ୟ ୧୨ ଦଳ। କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଆୟୋଜନ କରି ଇତିହାସ ଫର୍ଦ୍ଦରେ ନୂଆ ଅଧ୍ୟାୟ ଯୋଡ଼ିଛି ଓଡ଼ିଶା। ୨୦୧୮ ସଂସ୍କରଣର ସଫଳ ଆୟୋଜନ ଏବଂ ଆତିଥେୟତାପାଇଁ ଦେଶ ବିଦେଶରେ ପ୍ରଶଂସା ସାଉଁଟିଥିବା ଓଡ଼ିଶା ସରକାର ଆଉ ଏକ ସଫଳ ଏବଂ ସୁରକ୍ଷିତ ବିଶ୍ୱକପ ଭେଟିଦେବାକୁ ପ୍ରସ୍ତୁତ। ଆଇକନିକ କଳିଙ୍ଗ ଷ୍ଟାଡିୟମକୁ ନୂଆ ରୂପ ଦିଆ ଯାଇଥିବାବେଳେ ରାଉରକେଲାରେ ନିର୍ମାଣ ହୋଇଛି ବୃହତ୍‌ ବିର୍ସାମୁଣ୍ଡା ଷ୍ଟାଡିୟମ। ପ୍ରତିଯୋଗିତାରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ଏଥରୁ କଳିଙ୍ଗରେ ୨୪ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦ଟି ମ୍ୟାଚ ଅନୁଷ୍ଠିତ ହେବ।

୪୮ ବର୍ଷର ପ୍ରତୀକ୍ଷା
ଦୀର୍ଘ ୪୮ ବର୍ଷର ପ୍ରତୀକ୍ଷା। ଉତ୍କଣ୍ଠାର ଅବସାନ ଘଟାଇବା ପାଇଁ ଭାରତୀୟ ହକି ଦଳ ଲାଗି ଆସିଛି ସୁବର୍ଣ୍ଣ ସୁଯୋଗ। ୧୯୭୫ ମସିହାରେ ପ୍ରଥମ ଓ ଶେଷଥର ପାଇଁ ଭାରତ ଜିତିଥିଲା ବିଶ୍ୱକପ୍‌। ଏହାର ସ୍ମୃତି ଏବେ ମଧ୍ୟ ତାଜା ହୋଇ ରହିଥିଲେ ହେଁ ପୁଣିଥରେ ଟ୍ରଫି ଧରିବା ପାଇଁ ଆଶା ଓ ଆକାଂକ୍ଷା ବଢ଼ିବାରେ ଲାଗିଛି। ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରି ପୋଡିୟମ ଫିନିଶ୍‌ କରିଥିବାରୁ ବିଶ୍ୱକପ୍‌ରେ ମଧ୍ୟ ଶୀର୍ଷସ୍ଥାନ ହାସଲ କରିପାରିବ ବୋଲି ସମ୍ଭାବନା ଉଙ୍କି ମାରିଛି। ୨୦୨୩ ବିଶ୍ୱକପ୍‌ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ସ୍ପେନ୍‌। ଶୁକ୍ରବାର ବିର୍ସା ମୁଣ୍ଡା ନବନିର୍ମିତ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ଉତ୍କଣ୍ଠିତ ମ୍ୟାଚ। ସ୍ପେନ୍‌ କେବେହେଲେ ଟାଇଟଲ ବିଜୟୀ ହୋଇ ନ ଥିଲେ ମଧ୍ୟ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ପରିଗଣିତ। ଟାଇଟଲର ଅନ୍ୟତମ ଦାବିଦାର। ପ୍ରତ୍ୟେକ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚ ସବୁ ଦଳ ପାଇଁ ବହୁ ଗୁରୁତ୍ୱ ରଖେ। ତେଣୁ ଏହି ମ୍ୟାଚ ଉପରେ ଭାରତୀୟ ହକିପ୍ରେମୀଙ୍କ ନଜର ରହିବ।
ଓଡ଼ିଶା ଆଣିଛି ଆଶା
ବିଶ୍ୱକପ୍‌ର ଇତିହାସ ଦେଖିଲେ ଭାରତ ପ୍ରଥମ ସଂସ୍କରଣରେ ବ୍ରୋଞ୍ଜ (୧୯୭୧), ଦ୍ୱିତୀୟ ସଂସ୍କରଣରେ ରୌପ୍ୟ (୧୯୭୩) ଓ ତୃତୀୟ ସଂସ୍କରଣରେ ଅଜିତ ପାଲ୍‌ ସିଂଙ୍କ ନେତୃତ୍ୱରେ ସ୍ବର୍ଣ୍ଣ (୧୯୭୫) ପଦକ ହାସଲ କରିଥିଲା। ଏହାପରେ ପଦକ ସତେଯେପରି ଭାରତ ପାଇଁ ସ୍ବପ୍ନ ପାଲଟିଯାଇଛି। ଏପରି କି ୧୯୭୮ରୁ ୨୦୧୪ ପର୍ଯ୍ୟନ୍ତ ଭାରତୀୟ ଦଳ କେବେହେଲେ ଗ୍ରୁପ୍‌ ପର୍ଯ୍ୟାୟ ମଧ୍ୟ ଅତିକ୍ରମ କରିପାରି ନ ଥିଲା। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲା। ତେଣୁ ସେହି ପରିବେଶରେ ଦଳ ଏଥର ତା’ଠାରୁ ଭଲ ପ୍ରଦର୍ଶନ ଦେଇପାରିବ ବୋଲି ଆଶା ସୃଷ୍ଟି ହୋଇଛି। ଭାରତ ଏବେ ବିଶ୍ୱ ର଼୍ୟାଙ୍କ୍‌ରେ ୬ଷ୍ଠ ସ୍ଥାନରେ ରହିଛି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ବାହାର ସିରିଜରେ ଦଳ ଯଦିଓ ୧-୪ରେ ସିରିଜ ହାରିଥିଲା ତେବେ ପ୍ରାୟ ସବୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଅଷ୍ଟ୍ରେଲିଆ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ। ସବୁ ବିଭାଗରେ ଏହି ଦଳ ଶକ୍ତିଶାଳୀ। ଗତ ସିରିଜରେ ଭାରତୀୟ ଦଳ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ ଦେବା ଯୋଗୁ ହିଁ ଅଷ୍ଟ୍ରେଲିଆକୁ ଟକ୍କର ଦେଇ ପାରିଥିଲା ଏବଂ ୬ ବର୍ଷ ବ୍ୟବଧାନରେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିଲା। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ମଧ୍ୟ ଭାରତର ପ୍ରଦର୍ଶନ ପ୍ରଭାବୀ ରହିଥିଲା। ୨୦୨୧-୨୨ ସିଜନରେ ଦଳ ତୃତୀୟ ସ୍ଥାନ ହାସଲ କରିଥିଲା। ଫଳରେ ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।
ରିଡ୍‌-ହରମନ୍‌ପ୍ରୀତଙ୍କ କମ୍ବିନେଶନ
୨୦୧୯ରେ ଅଷ୍ଟ୍ରେଲିଆନ ଗ୍ରାହାମ ରିଡ୍‌ ମୁଖ୍ୟ କୋଚ୍‌ ଦାୟିତ୍ୱ ନେବା ପରେ ଭାରତୀୟ ଦଳର ଶକ୍ତି ବୃଦ୍ଧି ପାଉଛି। ବୈଷୟିକ ଶୃଙ୍ଖଳା, ଦକ୍ଷତା, ପ୍ଲେଇଂ ଷ୍ଟାଇଲ୍‌ ସବୁଥିରେ ରିଡ୍‌ ଖେଳାଳିଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବାରେ ସକ୍ଷମ ହୋଇଛନ୍ତି। ଫଳରେ ଭାରତୀୟ ଦଳ ପ୍ରତି ଅନ୍ୟ ଦଳଗୁଡ଼ିକର ସମ୍ମାନ ଏବଂ ଭୟ ବଢ଼ିଛି। ”ଟ୍ରେନିଂ ସମୟରେ ଭିନ୍ନ ଦୃଶ୍ୟପଟ ଉପରେ ଗୁରୁତ୍ୱ ଦେଇଛୁ। ଯଦି ଆମେ ୦-୧ରେ ପଛୁଆ ଅଛୁ ତେବେ କିପରି ଖେଳିବୁ, ଯଦି ଆମକୁ ୧୦ ଜଣିଆ ଦଳରେ ପରିଣତ ହେବାକୁ ପଡ଼ିଲା, ଯଦି ଗୋଲକିପରଙ୍କୁ ହଟାଇବା ପରିସ୍ଥିତି ସୃଷ୍ଟିହେଲା ସେହି ସ୍ଥିତିରେ କିପରି ଖେଳିବୁ ତା’ ଉପରେ ଫୋକସ କରୁଛୁ। ଏହା ବର୍ତ୍ତମାନ ସମୟର ହକିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ“ ବୋଲି ରିଡ୍‌ ପ୍ରକାଶ କରିଛନ୍ତି। ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର ଅଧିନାୟକ ହରମନ୍‌ପ୍ରୀତ ସିଂ ଜଣେ ଅଦ୍ଭୁତ ଡିଫେଣ୍ଡର ଏବଂ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡ୍ରାଗ୍‌ଫ୍ଲିକର। ଗୋଲକିପର ପି.ଆର. ଶ୍ରୀଜେସ, ମିଡ୍‌ଫିଲ୍ଡ ତାରକା ତଥା ଗତ ବିଶ୍ୱକପ୍‌ର ଅଧିନାୟକ ମନ୍‌ପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ଷ୍ଟ୍ରାଇକର ମନ୍‌ଦୀପ ସିଂଙ୍କ ନିକଟରେ ଗେମ୍‌ ପରିବର୍ତ୍ତନ କରିବାର ଦକ୍ଷତା ରହିଛି। ଭାରତ ସଫଳତା ପାଇବାକୁ ହେଲେ ଏମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଏହା ବ୍ୟତୀତ ଡିଫେଣ୍ଡର ତଥା ଓଡ଼ିଶାର ତାରକା ଖେଳାଳି ଅମିତ ରୋହିଦାସ ନିକଟ ଅତୀତରେ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ରଖିଛନ୍ତି। ସେ ମଧ୍ୟ ପେନାଲ୍ଟି କର୍ନର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏହା ବ୍ୟତୀତ ଆକାଶଦୀପ ସିଂଙ୍କ ଉପରେ ମଧ୍ୟ ନଜର ରହିବ। ଅଧିନାୟକ ହରମନ୍‌ପ୍ରୀତଙ୍କ ଉପରୁ ଯଥାସମ୍ଭବ ଚାପ ହ୍ରାସ ପାଇଁ ଉଦ୍ୟମ କରାଯିବ ବୋଲି ରିଡ୍‌ ସୂଚନା ଦେଇଛନ୍ତି। ପୁଲ୍‌ ‘ଡି’ରେ ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ। ତେଣୁ ସ୍ପେନ୍‌ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଭାରତର ମୁଖ୍ୟ ଲକ୍ଷ୍ୟ ହେବ। କାରଣ ଗ୍ରୁପ୍‌ରେ ଶୀର୍ଷସ୍ଥାନ ହାସଲ କଲେ ଯାଇ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ମିଳିବ। ନଚେତ କ୍ରସ୍‌ଓଭର ସମସ୍ୟା ମଧ୍ୟଦେଇ ଗତି କରିବାକୁ ପଡ଼ିବ। କ୍ରସ୍‌ଓଭର ଦେଇ ଯୋଗ୍ୟତା ପାଇଲେ କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଦଳକୁ ଭେଟିବା ନିଶ୍ଚିତ। ତେଣୁ ପ୍ରଥମ ଗେମ୍‌ ଜିତିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ରିଡ୍‌ ସ୍ପଷ୍ଟ କରିଛନ୍ତି।
ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ
ଅନ୍ୟପକ୍ଷରେ ସ୍ପେନ୍‌ ସର୍ବଦା ସବୁ ଦଳ ପାଇଁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥାଏ। ବିଶ୍ୱ ର଼୍ୟାଙ୍କ୍‌ରେ ଏହି ଦଳ ୮ ନମ୍ବର ସ୍ଥାନରେ ରହିଛି। ତେଣୁ ଆଗାମୀ ମ୍ୟାଚରେ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟିବାର ସମ୍ଭାବନା ନାହିଁ। ଏମିତି ଗୋଟିଏ ଲେଖାଏ ଦିନ ରହିଥାଏ ଯାହାକି ଏକ ନିର୍ଦ୍ଦିଷ୍ଟ ଦଳକୁ ସୁହାଇଥାଏ। ସେଭଳି ଦିନରେ ସ୍ପେନ୍‌ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ହରାଇବାର ଦକ୍ଷତା ରଖିଛି। ଯଦିଓ ଟାଇଟଲ ସ୍ବାଦ ଚାଖିନାହିଁ ତେବେ ଏହି ଦଳ ୨ ଥର ୧୯୭୧ ଓ ୧୯୯୮ରେ ରନରଅପ୍‌ ଏବଂ ୨୦୦୬ରେ ବ୍ରୋଞ୍ଜ ପଦକ ଜିତିବାର ଅଭିଜ୍ଞତା ରଖିଛି। ସ୍ପେନ୍‌ ଦଳର କୋଚ୍‌ ହେଉଛନ୍ତି ଆର୍ଜେଣ୍ଟିନାର ଅନ୍ତର୍ଜାତୀୟ ଖେଳାଳି ମ୍ୟାକ୍ସ କାଲଡାସ ଏବଂ ଅଧିନାୟକ ଆଲ୍‌ଭାରୋ ଇଗ୍‌ଲେସିଆସ। ଇଗ୍‌ଲେସିଆସ ହେଉଛନ୍ତି ଦଳର ସବୁଠାରୁ ଅଭିଜ୍ଞସମ୍ପନ୍ନ ଖେଳାଳି। ଗତ ଅକ୍ଟୋବର-ନଭେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରୋ-ଲିଗ୍‌ରେ ଦଳର ପ୍ରଦର୍ଶନ ଭଲ ରହିଥିଲା। ପ୍ରଥମ ମ୍ୟାଚରେ ଭାରତକୁ ୩-୨ ଗୋଲରେ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ ୨-୨ ଗୋଲରେ ବରାବର ରହିବାରୁ ଶୁଟ୍‌ଆଉଟରେ ଭାରତଠାରୁ ହାରିଥିଲା। ଗତବର୍ଷ ଫେବୃୟାରୀରେ ଅନୁଷ୍ଠିତ ୨୦୨୧-୨୨ ପ୍ରୋ ଲିଗ୍‌ରେ ମଧ୍ୟ ସ୍ପେନ୍‌ ପ୍ରଥମ ମ୍ୟାଚକୁ ୫-୩ ଗୋଲରେ ଜିତିଥିଲା ଏବଂ ଦ୍ୱିତୀୟ ମ୍ୟାଚରେ ଭାରତ ୫-୪ ଗୋଲରେ ବିଜୟୀ ହୋଇଥିଲା। ”ଆମ ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ ଅର୍ଥାତ୍‌ ୯୦ ପ୍ରତିଶତ ଖେଳାଳି ପ୍ରଥମଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ଏହାର ଅର୍ଥ ନୁହେଁ ଯେ, ଆମେ ବିପକ୍ଷ ଦଳକୁ ଭୟକରି ଖେଳିବୁ। ଆମେ ଆମ ଷ୍ଟାଇଲ୍‌ରେ ଖେଳିବୁ ଏବଂ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ“ ବୋଲି ଆଲ୍‌ଭାରୋ ପ୍ରକାଶ କରିଛନ୍ତି। ପ୍ରୋ-ଲିଗ୍‌ରେ ଭାରତ-ସ୍ପେନ୍‌ ପରସ୍ପରକୁ ଭେଟିଛନ୍ତି। ଶୁକ୍ରବାର ମୁକାବିଲାରେ ପାଖାପାଖି ତା’ର ପୁନରାବୃତ୍ତି ଘଟିବ ବୋଲି ସେ କହିଛନ୍ତି।

Share