Categories: ଖେଳ

ପ୍ରଥମ ଦିନରେ ଭାରତ ୩୫୭/୬

ମୋହାଲି,୪।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ୱିକେଟ କିପର- ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ୬ ଉଇକେଟ ହରାଇ ୩୫୭ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରବୀନ୍ଦ୍ର ଜାଡେଜା ୪୫ ଓ ରବିଚନ୍ଦ୍ରନ ଅଶ୍ୱିନ ୧୦ ରନ କରି ଅପରାଜିତ ରହିଛନ୍ତି।

ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ୧୦୦ତମ ମ୍ୟାଚ୍‌ ଖେଳୁଥିଲେ। ସ୍ବତନ୍ତ୍ର ମ୍ୟାଚ୍‌ରେ ବିରାଟଙ୍କ ପୁରୁଣା ଫର୍ମ ଫେରି ଆସିବ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ସେମାନଙ୍କୁ ଖୁସି ମିଳିଲା ନାହିଁ। ଅପରପକ୍ଷେ ମ୍ୟାଚରେ ପନ୍ତ ଜବରଦସ୍ତ ବ୍ୟାଟିଂ କରି ଶ୍ରୀଲଙ୍କାଠାରୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଛଡ଼ାଇ ନେଇଛନ୍ତି। ହେଲେ ନର୍ଭସ ୯୦ର ଶିକାର ହୋଇ ସେ ଶତକର ନିକଟତର ଆସି ବଞ୍ଚିତ ହୋଇଛନ୍ତି। ପନ୍ତ ୯୭ ବଲରେ ୯ ଚୌକା ଓ ୪ ଛକା ସହ ୯୬ ରନ କରି ଆଉଟ ହୋଇଛନ୍ତି। ତାଙ୍କ ବ୍ୟତୀତ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହନୁମା ବିହାରୀ ଅର୍ଦ୍ଧଶତକ ମାରିଛନ୍ତି।

କ୍ୟାପଟେନ ଭାବେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ରୋହିତ୍ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଏବଂ ମୟଙ୍କ ଓପନିଂ କରି ୫୨ ରନ୍‌ ଭାଗିଦାରି କରିଥିଲେ। ପରେ ଉଭୟଙ୍କ ଉଇକେଟ ଯାଇଥିଲା। ସେତେବେଳକୁ ଦଳର ସ୍କୋର ୮୦ ଥିଲା। ବିରାଟ ଏବଂ ହନୁମା ମଧ୍ୟ ଦଳର ସ୍ଥିତିକୁ ମଜଭୂତ କରିବା ଲାଗି ୯୦ ରନ୍‌ର ଇନିଂସ ଖେଳିଥିଲେ। କୋହଲି ୭୬ ବଲ୍‌ରେ ୪୫ ରନ୍‌ କରିଥିଲେ। ଏହି ପରି ଭାବେ ତୃତୀୟ ସେଶନରେ ପନ୍ତ ଚୌକା ଓ ଛକା ବର୍ଷା କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ନୂଆ ବଲ ତାଙ୍କ ପାଇଁ କାଳ ହୋଇଥିଲା। ପେସର୍‌ ସୁରଙ୍ଗା ଲାକମଲଙ୍କ ଇନସୁଇଂକୁ ବୁଝିନପାରି ପନ୍ତ କ୍ଲିନ ବୋଲ୍ଡ ହୋଇଥିଲେ। ଶତକରୁ ବଞ୍ଚିତ ହୋଇଥିଲେ ହେଁ ପନ୍ତ ଷଷ୍ଠ ଉଇକେଟ ପାଇଁ ଜାଡେଜାଙ୍କ ସହ ମିଶି ୧୦୪ ରନ ଯୋଡ଼ି ଭାରତକୁ ବଡ଼ ସ୍କୋର ମୁହାଁ କରିଛନ୍ତି।

Share