Categories: ଖେଳ

ଟସ୍‌ ଜିତି ବ୍ୟାଟିଂ କରୁଛି ଭାରତ, ଦଳକୁ ଫେରିଛନ୍ତି ଅକ୍ଷର ପଟେଲ

ବେଙ୍ଗାଲୁରୁ,୧୨।୩: ଶ୍ରୀଲଙ୍କା ବିପକ୍ଷରେ ଶନିବାର ଖେଳାଯାଉଥିବା ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଛି ଭାରତ। ଏହାପରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତ ୧୮.୨ ଓଭରରେ ୨ ଉଇକେଟ ହରାଇ ୬୩ ରନ୍‌ କରିଛି। ୫୩ ବଲ୍‌ରେ ୩୧ ରନ୍‌ କରି ହନୁମା ବିହାରୀ ଏବଂ ୨୬ ବଲ୍‌ରେ ୧୧ ରନ୍‌ କରି ବିରାଟ କୋହଲି ମଇଦାନରେ ଅଛନ୍ତି।

ତେବେ ପ୍ରଥମ ମ୍ୟାଚ୍‌କୁ ମାତ୍ର ୩ ଦିନ ମଧ୍ୟରେ ଜିତିଥିବା ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟକୁ ଜିତି ୨-୦ରେ ଟେଷ୍ଟ ସିରିଜ କ୍ଲିନ ସୁଇପ କରିବାକୁ ଆଶା ରଖିଛି। ମ୍ୟାଚ୍‌ରେ ଦଳ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅପସ୍ପିନର ଜୟନ୍ତ ଯାଦବଙ୍କ ବଦଳରେ ବାମହାତୀ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି।

ଅପରପକ୍ଷେ ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କା ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଇନଫର୍ମ ନିଶାଙ୍କା ଆହତ ହେବାରୁ କୁଶଲ ମେଣ୍ଡିସ ଦଳରେ ସାମିଲ ହୋଇଛନ୍ତି। ସେହିପରି ଲାହିରୁ କୁମାରଙ୍କ ବଦଳରେ ପ୍ରବୀଣ ଜୟବିକ୍ରମାଙ୍କୁ ସୁଯୋଗ ମିଳିଛି।

Share