Categories: ଜାତୀୟ

ଜଳବାୟୁ ପରିବର୍ତ୍ତନ ଯୋଗୁ ଅସୁରକ୍ଷିତ ଭାରତ

କୋଏମ୍ବାଟୁର, ୧୨।୬: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ଅସୁରକ୍ଷିତ। ଏହା ପଛର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ଜାତିସଂଘ ଏନ୍‌ଭାଇରୋନମେଣ୍ଟାଲ ପ୍ରୋଗ୍ରାମ (ୟୁଏନ୍‌ଇପି) ଏକ୍‌ଜିକ୍ୟୁଟିଭ୍‌ ଡିରେକ୍ଟର ଏରିକ୍‌ ସୋଲହେମ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ୱରେ ପଡ଼ୁଥିବାବେଳେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆନୁଷ୍ଠାନିକ କନ୍‌ସଲଟେଶନ୍‌ ଫୋରମ୍‌ ୟୁଥ୍‌ ୨୦ (ଓ୍ବାଇ୨୦) କାର୍ଯ୍ୟକ୍ରମ ଭାଷଣରେ ସେ ପ୍ରକାଶ କରିଛନ୍ତି। ଜି୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି କାର୍ଯ୍ୟକ୍ରମ ଜରିଆରେ ପରସ୍ପର ସହ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଆଲୋଚନା କରିପାରିବେ।
ଭାରତର ଦିଲ୍ଲୀ ସହର ଅଧିକ ପ୍ରଦୂଷତ। ଜଳବାୟୁ ପରିବର୍ତ୍ତନ ଯୋଗୁ ଉଭୟ ଆମେରିକା ଓ ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖିବାକୁ ମିଳୁଛି। ବହୁଳମାତ୍ରାରେ ଜଙ୍ଗଲ କ୍ଷୟ ହେଉଥିବାରୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଗତବର୍ଷ ପାକିସ୍ତାନରେ ଭୟାବହ ବନ୍ୟା ଅନେକଙ୍କ ପ୍ରାଣ ନେଇଥିବାବେଳେ ଆମେରିକା ଓ ୟୁରୋପରେ ଭୀଷଣ ବନାଗ୍ନି ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ପରିବେଶ ସୁରକ୍ଷା ପାଇଁ ଚାଇନା ବୈଦ୍ୟୁତିକ ପଦ୍ଧତିକୁ ଆପଣାଇଛି। ଇଲେକ୍ଟ୍ରିକ୍‌ କାର ନିର୍ମାଣ କ୍ଷେତ୍ରରେ ଚାଇନା ବିଶ୍ୱ ନେତା ପାଲଟିଛି। ବର୍ତ୍ତମାନ ସମୟରେ ଭାରତର କିଛି ସହରରେ ଇଲେକ୍ଟ୍ରିକ୍‌ ବସ୍‌ ଚାଲିବା ଆରମ୍ଭ ହୋଇଥିବାବେଳେ ୨୭ଟି ସହରରେ ମେଟ୍ରୋ ସିଷ୍ଟମ ଦେଖିବାକୁ ମିଳିଛି। ପରିବେଶ ପ୍ରଦୂଷଣ ରୋକିବା କ୍ଷେତ୍ରରେ ବୈଦ୍ୟୁତିକ ଯାନ ସାହାଯ୍ୟ କରିବ। ଲୋକମାନେ ଇନ୍ଧନ ଚାଳିତ କାର୍‌ କିଣିବା ପରିବର୍ତ୍ତେ ଇଲେକ୍ଟିକ୍‌ ଯାନ ବ୍ୟବହାର ପ୍ରତି ଆଗ୍ରହ ପ୍ରଦର୍ଶନ କରିବା ଆବଶ୍ୟକ।

Share