ଭାରତ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ

ବାରି(ଇଟାଲୀ),୧୫ା୬: ଭାରତ ସବୁ ସମସ୍ୟାର ମାନବକୈନ୍ଦ୍ରିକ ସମାଧାନରେ ବିଶ୍ୱାସ କରେ। ଆଲୋଚନା ଓ କୂଟନୀତି ଜରିଆରେ ୟୁକ୍ରେନ୍‌ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ। ଏଥିପାଇଁ ଭାରତ ନିଜ ସୀମାରେ ରହି ଯାହାକିଛି ପାରିବ, ସବୁ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ କହିଛନ୍ତି। ଇଟାଲୀର ଅପୁଲିଆରେ ଚାଲିଥିବା ଜି୭ ସମ୍ମିଳନୀରେ ଦୁଇନେତାଙ୍କ ମଧ୍ୟରେ ସାକ୍ଷାତ ବେଳେ ମୋଦି ଜେଲେନ୍‌ସ୍କିଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ବେଳେ ସୁଇଜରଲାଣ୍ଡରେ ଶନିବାର ଓ ରବିବାର ହେବାକୁ ଥିବା ୟୁକ୍ରେନ୍‌ ଶାନ୍ତି ସମ୍ମିଳନୀ ବିଷୟ ମଧ୍ୟ ଉଠିଥିଲା। ଏହି କନ୍‌କ୍ଲେଭ୍‌କୁ ଭାରତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜେଲେନ୍‌ସ୍କି ଧନ୍ୟବାଦ ଦେଇଛନ୍ତି।
କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‌ ଓ ଆମେରିକା ଭଳି ଶିଳ୍ପସମୃଦ୍ଧ ରାଷ୍ଟ୍ରସମୂହକୁ ନେଇ ଜି୭ ଗଠିତ। ଭାରତ ଏହି ଗୋଷ୍ଠୀର ସଦସ୍ୟ ନ ଥିଲେ ମଧ୍ୟ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ମୋଦି ସେଠାକୁ ଯାଇଛନ୍ତି। ଜି୭ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସମେତ ଅନ୍ୟ ବିଶ୍ୱନେତାଙ୍କୁ ଭେଟିଛନ୍ତି। ଜି୭ରେ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଯୋଗଦେବା ଅବସରରେ ବିକାଶରେ ମାନବୀୟ ମର୍ଯ୍ୟାଦାକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଛନ୍ତି। ଶକ୍ତିଶାଳୀ ଟେକ୍ନୋଲୋଜି ମଣିଷର ସମ୍ପର୍କକୁ ଆଲ୍‌ଗୋରିଦିମ୍‌ରେ ପରିଣତ କରିଦେଇଥିବା ନେଇ ସେ ସତର୍କ କରାଇଛନ୍ତି। ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଭୟାବହତା ସମ୍ପର୍କରେ ବିଶ୍ୱନେତାଙ୍କୁ ଚେତାଇଦେଇଛନ୍ତି।

ପୋପ୍‌ଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

ଜି-୭ ବୈଠକରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟି ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି। ସମ୍ମିଳନୀ ସ୍ଥଳ ବୋର୍‌ଗୋ ଏଗ୍‌ନାଜିଆରେ ବିଶ୍ୱନେତାମାନଙ୍କ ସହ ସାମିଲ ହେବା ପାଇଁ ୮୭ ବର୍ଷୀୟ ପୋପ୍‌ ଏକ ହୁଇଲ୍‌ ଚେୟାରରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ପୋପ୍‌ଙ୍କ ସହ ଭାବବିନିମୟ କରିଥିଲେ। ମୋଦି ପୋପ୍‌ଙ୍କୁ ଆଲିଙ୍ଗନ କରିଥିବା ବେଳର ଫଟୋକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ବିଶ୍ୱବାସୀଙ୍କ ପ୍ରତି ପୋପ୍‌ଙ୍କ ପ୍ରତିଶ୍ରୁତିବଦ୍ଧତା ପ୍ରଶଂସନୀୟ। ତାଙ୍କୁ ମୁଁ ଭାରତକୁ ନିମନ୍ତ୍ରଣ କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

 

Share