ନିଜ୍ଜର ମାମଲାରେ ଅମିତ ଶାହାଙ୍କ ନାମ ନେବାରୁ ରାଗିଲା ଭାରତ, କହିଲା ଭୋଗିବାକୁ ପଡିବ ଏହାର ପରଣାମ

ନୂଆଦିଲ୍ଲୀ,୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଗମ୍ଭୀର ହେବାରେ ଲାଗିଛି। ନିକଟରେ କାନାଡାର ଉପ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ସଂସଦୀୟ କମିଟିରେ ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାମ ନିଆଯିବାକୁ ଭାରତ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି।
ଏହି ପ୍ରସଙ୍ଗରେ ଗୋଟିଏ ଦିନ ପୂର୍ବରୁ କାନାଡାର ଭାରତୀୟ ଉଚ୍ଚ ଆୟୋଗର ପ୍ରତିନିଧୀଙ୍କୁ ବୈଦେଶିକ ମନ୍ତ୍ରଣାଳୟକୁ ଡକାଯାଇ ଭାରତର ଗଭୀର କ୍ରୋଧ ଜଣାଇଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ କୂଟନୈତିକ ନୋଟ ଦାଖଲ କରିଛି ଯାହା କାନାଡାର ଉପ ବୈଦେଶିକ ମନ୍ତ୍ରୀ ଡେଭିଡ ମୋରିସନଙ୍କ ଉପରୋକ୍ତ ବିବୃତ୍ତିକୁ ଦୃଢ ବିରୋଧ କରୁଛି। ଭାରତ ପୁଣି ଥରେ ଦୋହରାଇଛି ଯେ ବର୍ତ୍ତମାନର ଟ୍ରୁଡୋ ସରକାର ଏକ ରାଜନୈତିକ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟ କରୁଛନ୍ତି ଏବଂ ସେ ନେଉଥିବା ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇବ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୈସୱାଲ ଏଠାରେ କହିଛନ୍ତି, ଗତକାଲି ଆମେ କାନାଡା ଉଚ୍ଚ ଆୟୋଗର ପ୍ରତିନିଧୀଙ୍କୁ ଡକାଇଥିଲୁ। ଅକ୍ଟୋବର ୨୯, ୨୦୨୪ର ଏକ କୂଟନୈତିକ ନୋଟ ତାଙ୍କୁ ହସ୍ତାନ୍ତର କରାଯାଇଛି । ଆମେ ପ୍ରକାଶ କରିଛୁ ଯେ ଭାରତର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିଷୟରେ ଏକ କମିଟି ସମ୍ମୁଖରେ କାନାଡାର ଉପ ବୈଦେଶିକ ମନ୍ତ୍ରୀ ଡେଭିଡ ମୋରିସନଙ୍କ ଦ୍ୱାରା କରାଯାଇଥିବା ଅନର୍ଗଳ ତଥା ଭିତ୍ତିହୀନ ସନ୍ଦର୍ଭକୁ ଆମେ ଦୃଢ ବିରୋଧ କରୁଛୁ।
ସେ କହିଛନ୍ତି ଯେ କାନାଡାର ଅଧିକାରୀମାନେ ମନଇଚ୍ଛା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାରତକୁ ବଦନାମ କରିବା ଏବଂ ଅନ୍ୟ ଦେଶକୁ ପ୍ରଭାବିତ କରିବା ପାଇଁ ଭିତ୍ତିହୀନ ସୂଚନା ପ୍ରଦାନ କରୁଛନ୍ତି। ଏହିପରି ଦାୟିତ୍ୱହୀନ କାର୍ଯ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତର ପରିଣାମ ହେବ।

Share