Categories: ଖେଳ

ପାକିସ୍ତାନଠୁ ହାରିବା ପଛର କାରଣ କହିଲେ କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ,୨୬।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ଭାରତ ବିପକ୍ଷରେ ଜାରି ରହିଥିବା ପରାଜୟ ଧାରା ଭାଙ୍ଗିଥିଲା ପାକିସ୍ତାନ। ଟିମ୍‌ ଇଣ୍ଡିଆର ଏହି ପରାଜୟ ପଛରେ ଅତ୍ୟଧିକ ଚାପକୁ ଦାୟୀ କରିଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍‌।

“ମୋ ମତରେ ଭାରତୀୟ ଖେଳାଳିଙ୍କ ଶାରୀରିକ ଭାଷାରୁ ବୁଝା ପଡ଼ୁଥିଲା, ସେମାନେ ମ୍ୟାଚ୍‌ ଆରମ୍ଭରୁ ଭୟଭୀତ ଥିଲେ। ଟସ୍‌ ବେଳେ ବିରାଟ କୋହଲି ଓ ବାବର ଆଜାମଙ୍କ ସାକ୍ଷାତ୍‌କାରକୁ ଦେଖିଲେ, କିଏ ଚାପରେ ଅଛି ସ୍ପଷ୍ଟ ଜଣାପଡ଼ୁଛି। ସେମାନଙ୍କ ଠାରୁ ଢ଼େର ଭଲ ଥିଲା ଆମ ଖେଳାଳିଙ୍କ ଶାରୀରିକ ଭାଷା। କେବଳ କୋହଲି ନୁହନ୍ତି ଓପନର ରୋହିତ ଶର୍ମା ମଧ୍ୟ ଚାପରେ ଥିଲେ। ଏହା ଦର୍ଶାଉଛି ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଚାପରେ ଥିଲେ” ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜିମାମ କହିଛନ୍ତି।

ଭାରତୀୟ ଦଳ ଏଭଳି କଦାପି ଖେଳେ ନାହିଁ। ସେମାନେ ଟି୨୦ ଫର୍ମାଟରେ ଭଲ ଖେଳନ୍ତି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ୨ରୁ ୩ ବର୍ଷର ପ୍ରଦର୍ଶନ ଦେଖିଲେ, ସେମାନେ ବଡ଼ ଇଭେଣ୍ଟ ହାତେଇବା ପାଇଁ ଫେଭରାଇଟ୍‌। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସେମାନଙ୍କ ଉପରେ ଚାପ ଲଦି ଦେଇଥିଲା। ପାକିସ୍ତାନଠାରୁ ହାରିବା ପରେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହୋଇଥିଲା ଭାରତୀୟ ଦଳ। ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ସେମାନଙ୍କ ପାଖରେ ପ୍ରସ୍ତୁତି ଲାଗି ୭ ଦିନ ଥିଲା। ଏହାସତ୍ତ୍ୱେ ସେମାନେ ଏତେ ଚାପର ସମ୍ମୁଖୀନ ହୋଇଥିଲେ ଯେ, ମିଚେଲ ସାଣ୍ଟନର ଓ ଇଶ ସୋଧିଙ୍କ ଭଳି ସ୍ପିନରଙ୍କୁ ଖେଳିପାରି ନ ଥିଲେ ବୋଲି ଇଞ୍ଜିମାମ କହିଛନ୍ତି।

Share