Categories: ଜାତୀୟ

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲଗାତାର ଭାବେ ନୂଆ ନୂଆ ଖୁଲାସା ହେଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏସ୍‌ ବିଭବ କୁମାରଙ୍କ ବିରୋଧରେ ପୋଲିସ ଆକ୍ସନ ମୁଡ୍‌କୁ ଆସିଛି। ହେଲେ କ’ଣ ଆପଣ ଜାଣନ୍ତି ସ୍ବାତୀ କିଏ ଏବଂ ସେ ରାଜନୀତିରେ କେବେ ଏଣ୍ଟ୍ରି ନେଇଥିଲେ?

ସ୍ବାତୀ ୧୯୮୪ ଅକ୍ଟେବାର ୧୫ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଏବଂ ମା’ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ସେ ଜଣେ ଆଇଟି ଗ୍ରାଜୁଏଟ୍‌। ସ୍ନାତକ ପରେ ସ୍ବାତୀ କେଜ୍‌ରିଓ୍ବାଲ ଏବଂ ମନୀଷ ସିସୋଡିଆଙ୍କ ଏନ୍‌ଜିଓ ସହ ଯୋଡ଼ି ହୋଇ ସମାଜସେବା କରିଥିଲେ। ଅନ୍ନା ଆନ୍ଦୋଳନର ସେ ସବୁଠାରୁ କମ୍‌ ବୟସର ସଦସ୍ୟ ଥିଲେ। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।

ଅନ୍ନା ଆନ୍ଦୋଳନ ପରେ ସ୍ବାତୀ ଜଣେ ପ୍ରଖର ବକ୍ତା ଏବଂ କର୍ମଠ ଦଳୀୟକର୍ମୀ ଭାବେ ନଜର ଆସିଥିଲେ। ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ପରାମର୍ଶଦାତା ଭାବେ କାମ କରିଥିଲେ। ୨୦୨୫ରେ ଦ୍ୱିତୀୟ ଥର ଦିଲ୍ଲୀରେ ଏଏପି ସରକାର ଆସିବା ପରେ ତାଙ୍କୁ ଦିଲ୍ଲୀ ମହିଳା ଆୟୋଗ ଦାୟିତ୍ୱ ସମ୍ଭାଳିଥିଲେ। ପ୍ରାୟ ୯ ବର୍ଷ ଧରି ସେ ଅଧ୍ୟକ୍ଷ ପଦରେ ଥିଲେ। ତାଙ୍କର କାର୍ଯ୍ୟଶୈଳୀକୁ ନେଇ ଚଳିତ ବର୍ଷ ଏଏପି ତାଙ୍କୁ ରାଜ୍ୟସଭା ଲାଗି ବାଛିଥିଲା। ସେ ଏବେ ରାଜ୍ୟସଭା ଏମ୍‌ପି ଅଛନ୍ତି।

୨୦୧୨ରେ ସ୍ବାତୀ ନବୀନ ଜୟହିନ୍ଦଙ୍କୁ ବିବାହ କରିଥିଲେ। ୨୦୧୧ରେ ଦୁହେଁ ଅନ୍ନା ହଜାରେ ନେତୃତ୍ୱ ବିଶିଷ୍ଟ ଭାରତୀୟ ଭ୍ରଷ୍ଟ୍ରାଚାର ବିରୋଧୀ ଆନ୍ଦୋଳନ ସମୟରେ ପରସ୍ପରକୁ ଭେଟିଥିଲେ। ୮ ବର୍ଷ ଯାଏ ଏହି ସମ୍ପର୍କ ଚାଲିଥିଲା। ୨୦୨୦ରେ ସେମାନେ ଅଲଗା ହୋଇଥିଲେ।

କେଜ୍‌ରିଓ୍ବାଲଙ୍କ ବାସଭବନରେ ସହଯୋଗୀ ବିଭବ କୁମାର ତାଙ୍କୁ ମାର୍‌ପିଟ କରିବା ସହ ଅସଦାଚରଣ କରିଥିବା ସ୍ବାତୀ ସୋମବାର ଅଭିଯୋଗ କରିଥିଲେ। ଗୁରୁବାର ପୋଲିସ ମାମଲାକୁ ରୁଜୁ କରିବା ସହ ବିଭବଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ଶୁକ୍ରବାର ସ୍ବାତୀ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ବୟାନ ରେକର୍ଡ କରିବାକୁ ତିସ ହଜାରୀ କୋର୍ଟରେ ପହଞ୍ଚିଥିଲେ। ଅପରପକ୍ଷେ ବିଭବ କୁମାରଙ୍କୁ ସମନ ମିଳିଥିଲେ ସୁଦ୍ଧା ସେ ଏହି ମାମଲାରେ ଜାତୀୟ ମହିଳା ଆୟୋଗଙ୍କ ସମ୍ମୁଖରେ ହାଜର ହୋଇନାହାନ୍ତି। ଏବେ ସ୍ବାତୀଙ୍କୁ ମାର୍‌ପିଟ କରାଯିବା ସମୟର ଭିଡିଓ ସାମ୍ନାକୁ ଆସିଛି।

Share