Categories: ଜାତୀୟ

‘ଭାରତ ପରିବହନ ବିମାନର ଏକ ପ୍ରମୁଖ ଉତ୍ପାଦକ ହେବ’

ନୂଆଦିଲ୍ଲୀ,୩୦ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ବଡ଼ଦୋରାଠାରେ ସି-୨୯୫ ପରିବହନ ବିମାନ ଉତ୍ପାଦନ ସୁବିଧାର ମୂଳଦୁଆ ପକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି, ଭାରତୀୟ ବାୟୁସେନା ପାଇଁ ସି-୨୯୫ ପରିବହନ ବିମାନ ଟାଟା-ଏୟାରବସ୍‌ ଦ୍ୱାରା ନିର୍ମିତ ହେବ। ପ୍ରତିରକ୍ଷା ସଚିବ ଅରମାନ ଗିରିଧରଙ୍କ ଅନୁଯାୟୀ, ୪୦ଟି ବିମାନ ଉତ୍ପାଦନ ବ୍ୟତୀତ ବଡ଼ଦୋରାସ୍ଥିତ ସୁବିଧା ବାୟୁସେନା ଆବଶ୍ୟକତା ଏବଂ ରପ୍ତାନୀ ପାଇଁ ଅତିରିକ୍ତ ବିମାନ ଉତ୍ପାଦନ କରିବ।

ମୋଦି କହିଛନ୍ତି, ‘ମେକ ଇନ୍‌ ଇଣ୍ଡିଆ, ମେକ୍‌ ଫର୍‌ ଗ୍ଲୋବର’ ଏହି ମନ୍ତ୍ର ଉପରେ ଭାରତ ଆଜି ଆଗକୁ ବଢ଼ୁଛି। ବର୍ତ୍ତମାନ ଭାରତ ମଧ୍ୟ ପରିବହନ ବିମାନର ଏକ ପ୍ରମୁଖ ଉତ୍ପାଦକ ହେବ। ଆଜି ଏହା ଭାରତରେ ଲଞ୍ଚ କରାଯାଇଛି। ମୁଁ ସେହି ଦିନ ଦେଖୁଛି, ଯେତେବେଳେ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ ମଧ୍ୟ ଭାରତରେ ତିଆରି ହେବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି। ଆଜି ଆମେ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଉତ୍ପାଦନ କେନ୍ଦ୍ର ଭାବେ ପରିଣତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଉଛୁ। ଆଜି ଭାରତ ନିଜର ଯୁଦ୍ଧ ବିମାନ, ଟ୍ୟାଙ୍କ, ବୁଡ଼ାଜାହାଜ ତିଆରି କରୁଛି। କେବଳ ଏତିକି ନୁହେଁ, ଭାରତରେ ନିର୍ମିତ ଔଷଧ ଏବଂ ଟିକା ମଧ୍ୟ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରୁଛି।

Share