Categories: ବାଣିଜ୍ୟ

ଆସନ୍ତା ୨୦ ବର୍ଷରେ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ ଭାରତ: ଅମ୍ବାନୀ

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଏକ ଭିଡିଓ ବାର୍ତ୍ତାଳାପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହା କହିଛନ୍ତି।

ଅମ୍ବାନୀ କହିଛନ୍ତି, ହ୍ବାଟ୍ସଆପ୍‌ର ସବ୍‌ସ୍କ୍ରାଇବର ଭଳି ଜିଓର କୋଟି କୋଟି ଗ୍ରାହକ ଅଛନ୍ତି। ଜିଓ ଓ ଫେସବୁକ୍‌ ମିଶି ଭ୍ୟାଲୁ ଆଡେଡ୍‌ କ୍ରିଏଟର ସାଜି ପାରିବେ। ଜିଓମାର୍ଟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ସୁଯୋଗ ପ୍ରଦାନ କରିଛି, ଯାହା ଆମ ଦେଶର ଛୋଟ ଦୋକାନୀମାନଙ୍କୁ ଡିଜିଟାଇଜେଶନ କରିବାକୁ ଅନୁମତି ଦେଇଛି। ଏହା ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବ। ଏହାଛଡ଼ା ଜିଓ ଦେଶର ସମସ୍ତ ବିଦ୍ୟାଳୟକୁ ସଂଯୋଗ କରିବାକୁ ଚେଷ୍ଟା କରୁଛି। ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରର କର୍ତ୍ତୃପକ୍ଷଙ୍କ ସହ ମିଶି ସେମାନଙ୍କୁ ଟେକ୍ନୋଲୋଜି ଉପକରଣ ଯୋଗାଇବାକୁ ଚେଷ୍ଟା କରୁଛି।

ସେହିଭଳି ଜୁକରବର୍ଗ କହିଛନ୍ତି ଯେ ଭାରତର ଭବିଷ୍ୟତ ଉପରେ ତାଙ୍କର ବହୁତ ବିଶ୍ୱାସ ଅଛି। ତେଣୁ ସେ ଭାରତରେ ବିନିଯୋଗ କରିଛନ୍ତି। ଜୁକରବର୍ଗ କହିଛନ୍ତି ଯେ ଭାରତରେ କୋଟି କୋଟି ଲୋକଙ୍କ ପାଇଁ ଇଣ୍ଟରନେଟ ଉପକୃତ ହେବାରେ ଜିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପିଏମ୍‌ ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ଶିଳ୍ପ ପାଇଁ ବିପୁଳ ସୁଯୋଗ ପ୍ରଦାନ କରିଛି । ଏହା ମାଧ୍ୟମରେ ଦେଶରେ ଟେକ୍ନୋଲୋଜିର ବିକାଶ ପାଇଁ ଏହି ଶିଳ୍ପ ସରକାରଙ୍କ ସହ ସହଯୋଗ କରିପାରିବ।
ପ୍ରକାଶ ଯେ, ରିଲାଏନ୍ସ ଜିଓ ପ୍ଲାଟଫର୍ମଗୁଡିକ କମ୍ପାନୀର ୯.୯୯ ପ୍ରତିଶତ ଅଂଶଧନ ପାଇଁ ଫେସବୁକରୁ ୪୩,୫୭୪ କୋଟି ଟଙ୍କା ପାଇଛି। କମ୍ପାନୀର ସହାୟକ କମ୍ପାନୀ ଜିଓ ପ୍ଲାଟଫର୍ମ ଲିମିଟେଡ ଫେସବୁକର ସମ୍ପୁର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଜାଧୁ ହୋଲ୍ଡିଂସ, ଏଲଏଲ୍ସି (ଜାଡୁ ହୋଲ୍ଡିଂସ୍‌)ରୁ ୪୩,୫୭୪ କୋଟି ଟଙ୍କା ପାଇଛି। ଏହି ଡିଲ ମାଧ୍ୟମରେ ଫେସବୁକ ପ୍ରଥମ ଥର ପାଇଁ ଭାରତରେ ଏକ ବଡ କମ୍ପାନୀରେ ବିନିଯୋଗ କରିଛି।

Share