ନୂଆଦିଲ୍ଲୀ,୨୦।୩: ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁରୁବାର ବିଜାପୁର-ଦନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ୨୨ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ଭାରତକୁ ମାଓବାଦୀମୁକ୍ତ କରିବା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ମାଓବାଦୀ ମୁକ୍ତ ହୋଇଯିବ।
ଛତିଶଗଡ଼ର ଗଙ୍ଗାଲୁର ପିଏସ୍ ସୀମା ନିକଟରେ ବିଜାପୁର-ଦନ୍ତେୱାଡା ସୀମାରେ ଗୁରୁବାର ସକାଳ ୭ଟାରୁ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଚାଲିଥିଲା, ଏହି ସମୟରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।
ସୁରକ୍ଷା ବାହିନୀର ଏହି ବଡ଼ ସଫଳତା ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି କହିଛନ୍ତି, ଆଜି ଆମର ଯବାନମାନେ ମାଓବାଦୀମୁକ୍ତ ଭାରତ ଅଭିଯାନ ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଛତିଶଗଡ଼ର ବିଜାପୁର ଏବଂ କାଙ୍କେରରେ ଆମ ସୁରକ୍ଷା ବାହିନୀର ଦୁଇଟି ପୃଥକ ଅପରେଶନରେ ୨୨ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଅମିତ ଶାହ ଆହୁରି କହିଛନ୍ତି, ମୋଦୀ ସରକାର ମାଓବାଦୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି ଏବଂ ଆତ୍ମସମର୍ପଣ ଠାରୁ ଆରମ୍ଭ କରି ଅନ୍ତର୍ଭୁକ୍ତିକରଣ ପର୍ଯ୍ୟନ୍ତ ସମସ୍ତ ସୁବିଧା ସତ୍ତ୍ୱେ ଆତ୍ମସମର୍ପଣ କରୁନଥିବା ମାଓବାଦୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି। ଆସନ୍ତା ବର୍ଷ ୩୧ ମାର୍ଚ୍ଚ ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହେବାକୁ ଯାଉଛି।
କହିରଖୁଛୁ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇ ପୃଥକ୍ ସ୍ଥାନରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ଗାଙ୍ଗୋଲ ଅଞ୍ଚଳରେ ୧୮ ମାଓବାଦୀ ନିହତ ହୋଇଥିବାବେଳେ କାଙ୍କେରରେ ଆଉ ୪ ମାଓବାଦୀ ନିହତ ହୋଇଛନ୍ତି। ପୋଲିସ ଏନ୍କାଉଣ୍ଟରରେ ଏହି ମାଓବାଦୀମାନେ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍ପି। ଏହି ଜଙ୍ଗଲରେମାଓବାଦୀଙ୍କ ବଡ଼ ଧରଣର ବେସ୍ କ୍ୟାମ୍ପ ଥିଲା । ତେଣୁ ପୋଲିସ ଏନ୍କାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଛି।
