Categories: ଜାତୀୟ

୨୦୭୫ ସୁଦ୍ଧା ଦ୍ୱିତୀୟ ବୃହତ୍‌ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ, ୧୧ା୭: ୨୦୭୫ ସୁଦ୍ଧା ଭାରତ କେବଳ, ଜାପାନ କି ଜର୍ମାନୀ ନୁହେଁ, ଆମେରିକାକୁ ମଧ୍ୟ ଅତିକ୍ରମ କରି ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ହେବ। ସୋମବାର ଗୋଲ୍ଡମ୍ୟାନ୍‌ ସାଚ୍‌ସ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବିଶ୍ୱର ସର୍ବାଧିକ ହୋଇଥିବାରୁ ଏହାର ଜିଡିପି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ଆମେରିକା ବିଶ୍ୱର ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ହୋଇଥିବାବେଳେ ଏହା ପଛକୁ ଚାଇନା, ଜାପାନ, ଜର୍ମାନୀ ରହିଛନ୍ତି। ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତି। ଆଗାମୀ ଦୁଇ ଦଶନ୍ଧିରେ ଭାରତର ନିର୍ଭରଶୀଳତା ଅନୁପାତ ଆଞ୍ଚଳିକ ଅର୍ଥନୀତିଗୁଡ଼ିକ ମଧ୍ୟରେ ସର୍ବନିମ୍ନ ହେବ ବୋଲି ଗୋଲ୍ଡମ୍ୟାନ୍‌ ସାଚ୍‌ସର ଭାରତ ଅର୍ଥନୀତିଜ୍ଞ ସାନ୍ତନୁ ସେନଗୁପ୍ତ କହିଛନ୍ତି। ଫଳରେ ଏହାର ଉତ୍ପାଦନ ସାମର୍ଥ୍ୟ ବଢ଼ିବା ସହ ସେବା ଓ ଭିତ୍ତିଭୂମି ସେକ୍ଟରରେ ଅଭିବୃଦ୍ଧି ଜାରି ରହିବ। ଭାରତ ପାଇଁ ଇନୋଭେଶନ ଏବଂ କର୍ମଚାରୀମାନଙ୍କ ଉତ୍ପାଦନ ଶକ୍ତି ବଢ଼ାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ କୁହାଯାଇଛି। ଭବିଷ୍ୟତରେ ପୁଞ୍ଜିନିବେଶ ଅଭିବୃଦ୍ଧିର ବଡ଼ ଚାଳକ ଶକ୍ତି ହେବାକୁ ଯାଉଛି। ନିର୍ଭରଶୀଳତା ଅନୁପାତ ହ୍ରାସ ସାଙ୍ଗକୁ ଆୟ ବୃଦ୍ଧି ଏବଂ ଫାଇନାନ୍ସିଆଲ ସେକ୍ଟରରେ ଦ୍ରୁତ ବୃଦ୍ଧି ଯୋଗୁ ଭାରତର ସଞ୍ଚୟ ହାର ବଢ଼ିବ। ତେବେ ଯଦି ଶ୍ରମଶକ୍ତି ଯୋଗଦାନ ଅନୁପାତ ନ ବଢ଼ିଲେ, ଭାରତର ଆର୍ଥତ୍କ ଅଭିବୃଦ୍ଧିରେ ଅବନତି ଆଶଙ୍କା ରହିଛି। କାରଣ ଗତ ୧୫ ବର୍ଷରେ ଭାରତରେ ଶ୍ରମଶକ୍ତି ଯୋଗଦାନ ହାର ହ୍ରାସ ପାଇଛି। ମହିଳାମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଗଲେ ଶ୍ରମଶକ୍ତି ଯୋଗଦାନ ହାର ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଭାରତର ଚଳନ୍ତି ଆକାଉଣ୍ଟ ନିଅଣ୍ଟ ଏବଂ ରପ୍ତାନି ମଧ୍ୟ ଅଭିବୃଦ୍ଧିକୁ ମନ୍ଥର କରୁଛି। ତେବେ ସେବା ରପ୍ତାନିକୁ ଗୁରୁତ୍ୱ ଯୋଗୁ ଚଳନ୍ତି ଆକଉଣ୍ଟ ସମତୁଲତାରେ ସହାୟକ ହୋଇଛି। ଭାରତର ଆର୍ଥତ୍କ ଅଭିବୃଦ୍ଧିର ୬୦ ପ୍ରତିଶତ ଘରୋଇ ଊପଯୋଗ ଓ ନିବେଶରୁ ଆସିଥାଏ ବୋଲି ରିପୋର୍ଟରେ କୁହାଯାଇଛି।

Share