Categories: ଖେଳ

ବାଂଲାଦେଶ ପ୍ରତି ସତର୍କ ରହିବ ଭାରତ

ପୁଣେ,୧୯ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ରେ ଗୁରୁବାର ବାଂଲାଦେଶକୁ ଭେଟିବ ଭାରତ। ରୋହିତ ଶର୍ମାଙ୍କ ଦଳ ଏହି ମ୍ୟାଚ୍‌ ପାଇଁ ଫେଭରିଟ୍‌ ରହିଥିଲେ ମଧ୍ୟ ବାଂଲାଦେଶ ବିପର୍ଯ୍ୟୟ ସୃଷ୍ଟି କରିବାରେ ମାହିର। ତେଣୁ ଭାରତ ଏହି ମ୍ୟାଚ୍‌କୁ ସତର୍କତାର ସହିତ ଓହ୍ଲାଇବ। ସେହିପରି ଉଭୟ ଦଳ ମଧ୍ୟରେ ଶେଷ ୪ ମ୍ୟାଚ୍‌ରେ ବାଂଲାଦେଶ ୩ଟି ଜିତିବାରେ ସଫଳ ହୋଇଛି । ଏହା ମଧ୍ୟରୁ ଦୁଇଟି ବିଜୟ ଦ୍ୱିପାକ୍ଷିକ ସିରିଜ୍‌ରୁ ଆସିଥିବା ବେଳେ ଏସିଆ କପ୍‌ର ଗୋଟିଏ ମ୍ୟାଚ୍‌ ଜିତିଥିଲା ବାଂଲାଦେଶ। ଚଳିତ ଟୁର୍ନାମେଣ୍ଟରେ ଅଣ୍ଡରଡଗ୍‌ ଟିମ୍‌ଗୁଡିକ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ଏହା ଭାରତ ପାଇଁ ସତର୍କଘଣ୍ଟି ଭଳି ରହିବ। ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହୋଇଛି। ପୁଣେର ପିଚ୍‌ ସର୍ବଦା ବ୍ୟାଟିଂ ସହାୟକ ରହୁଥିବା ବେଳେ ଭାରତୀୟ ବ୍ୟାଟର ଏହାର ଫାଇଦା ନେବାକୁ ପ୍ରୟାସ କରିବେ।
ଭାରତୀୟ ଟପ୍‌ ଅର୍ଡରରେ ରୋହିତ ଶର୍ମା, ଶୁବମନ୍‌ ଗିଲ୍‌ ଓ ବିରାଟ କୋହଲି ରହିଥିବା ବେଳେ ଏହା ବେଶ୍‌ ସନ୍ତୁଳିତ ମନେହେଉଛି। ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଗିଲ୍‌ ଏକ ବଡ ସ୍କୋର କରିବା ଆଶାରେ ରହିବେ। ଶେଷ ଥର ପାଇଁ ଏସିଆ କପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଗିଲ୍‌ ଚମତ୍କାର ଶତକ ହାସଲ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ରୋହିତ ଶର୍ମା ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ୧୩୧ ଓ ପାକିସ୍ତାନ ବିପକ୍ଷରେ ୮୬ ରନ୍‌ର ଇନିଂସ ଖେଳିଥିବା ବେଳେ ଆଉ ଏକ ଭଲ ଇନିଂସ ଆଶା କରିବ ଭାରତ। ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର କଷ୍ଟସାଧ୍ୟ ପରିସ୍ଥିତିରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ୮୫ ଓ ୫୫ ରନ୍‌ର ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଏହା ତିନି ଅଙ୍କରେ ପହଞ୍ଚାଇବାକୁ ଚାହିଁବେ। ମିଡିଲ ଅର୍ଡର ବ୍ୟାଟରଙ୍କ ମଧ୍ୟରେ ଶ୍ରେୟସ୍‌ ଆୟର ଓ ଲୋକେଶ ରାହୁଲ ମଧ୍ୟ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳ ଯଥାକ୍ରମେ ୧୯୯ ଓ ୧୯୧ ରନ୍‌ରେ ଅଲଆଉଟ ହେବା ଭାରତର ଶକ୍ତିଶାଳୀ ବୋଲିଂ ଲାଇନ୍‌ଅପ୍‌ର ପ୍ରମାଣ। ଯଶ୍‌ପ୍ରୀତ୍‌ ବୁମ୍‌ରା ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଥିବା ବେଳେ କୁଲ୍‌ଦୀପ ଯାଦବ ମଧ୍ୟ ନିଜ ସ୍ପିନ ଜାଲରେ ବିପକ୍ଷ ଦଳକୁ ବାନ୍ଧି ରଖିବାରେ ସମର୍ଥ ହୋଇଛନ୍ତି।
ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ଉନ୍ନତ ଦଳ ନିକଟରୁ ହାରିଥିଲା ବାଂଲାଦେଶ। ଟୁର୍ନାମେଣ୍ଟରେ ଜୀବନ୍ତ ରହିବାକୁ ହେଲେ ଦଳ ଭାରତ ବିପକ୍ଷରେ ବିଜୟୀ ହେବାକୁ ପ୍ରାଣପଣେ ଉଦ୍ୟମ କରିବ। ଅଧିନାୟକ ତଥା ସବୁଠାରୁ ଅଭିଜ୍ଞ ଖେଳାଳି ସାକିବ୍‌ ଅଲ ହସନଙ୍କ ଉପରେ ଦଳର ସଫଳତା ନିର୍ଭର କରିବ। ସେହିପରି ଲିଟନ୍‌ ଦାସ ଓ ମେହିଦୀ ହସନ ମିରାଜଙ୍କ ବ୍ୟାଟିଂ ଉପରେ ମଧ୍ୟ ସଭିଙ୍କ ନଜର ରହିବ। ଯୁବ ଖେଳାଳିଙ୍କ ମଧ୍ୟରେ ନଜମୁଲ ହୋସେନ୍‌ ଶନ୍ତୋ ଓ ତୋହିଦ୍‌ ହ୍ରିଦୟ ଓ ଅଭିଜ୍ଞ ମୁଶଫିକୁର ରହିମଙ୍କ ଉପରେ ମିଡିଲ ଅର୍ଡର ଭାର ନ୍ୟସ୍ତ ରହିବ। ବୋଲିଂରେ ଟାସ୍କିନ୍‌ ଅହମଦ ଫର୍ମରେ ନ ରହିବା ବାଂଲାଦେଶକୁ ଦୁର୍ବଳ କରିଛି। ୩ ମ୍ୟାଚରୁ ସେ ମାତ୍ର ଦୁଇ ଉଇକେଟ ନେଇଥିବା ବେଳେ ଏହା ମୁସ୍ତାଫିଜୁର ରେହମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଉଭୟ ଦଳ ବିଶ୍ୱକପ୍‌ରେ ୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୩ ବିଜୟ ସହିତ ଆଗୁଆ ରହିଛି। ୨୦୦୭ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ୩ ଥର ଭାରତ ଜିତିଛି।

Share