Categories: ଜାତୀୟ

ମାଳଦ୍ୱୀପ ନିକଟରେ ନୌସେନା ଘାଟି ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ,୫।୩: ଚାଇନା ସପକ୍ଷବାଦୀ ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପ ନିକଟବର୍ତ୍ତୀ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ନୂତନ ନୌସେନା ଘାଟି ନିର୍ମାଣ କରିବାକୁ ନୂଆଦିଲ୍ଲୀ ଘୋଷଣା କରିଛି। ଲାକ୍ଷାଦ୍ୱୀପର ଦକ୍ଷିଣ ଭାଗରେ ଥିବା ଦ୍ୱୀପ ମିନିକଏରେ ଆଇଏନ୍‌ଏସ୍‌ ଜଟାୟୁ ନାମରେ ଘାଟି ନିର୍ମାଣ କରାଯିବା ଯୋଜନା ରହିଛି ବୋଲି ଭାରତୀୟ ନୌସେନା କହିଛି। ଲାକ୍ଷାଦ୍ୱୀପ ମାଳଦ୍ୱୀପର ଉତ୍ତରରେ ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ସେଠାରେ ଘାଟି ହେଲେ ପଶ୍ଚିମ ଆରବ ସାଗରରେ ଭାରତୀୟ ନୌସେନାର ଜଳଦସ୍ୟୁ ବିରୋଧୀ ଏବଂ ନିଶା କାରବାର ବିରୋଧୀ ଅପରେଶନ ବଢ଼ିବା ସହ ନୌସେନାର କ୍ଷମତା ବୃଦ୍ଧି ପାଇବ ବୋଲି ଏକ ବିବୃତିରେ କୁହାଯାଇଛି। ଲାକ୍ଷାଦ୍ୱୀପର କାଭାରାଟ୍ଟିଠାରେ ଆଇଏନ୍‌ଏସ୍‌ ଦ୍ୱୀପରକ୍ଷକ ନାମରେ ଭାରତର ଏକ ନୌସେନା ଘାଟି ରହିଛି।
ସୂଚନାଯୋଗ୍ୟ, ମୁଇଜୁ କ୍ଷମତାକୁ ଆସିବା ପରେ ପ୍ରଥମେ ଚାଇନା ଗସ୍ତରେ ଯାଇଥିଲେ। ତାଙ୍କ ଦେଶ ଛୋଟ ହେଲେ ମଧ୍ୟ କେହି ଏହା ଉପରେ ପତିଆରା ଦେଖାଇବାର ଲାଇସେନ୍ସ କାହାକୁ ଦିଆଯାଇ ନାହିଁ ବୋଲି ମୁଇଜୁ କହିଥିଲେ। ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟମାନଙ୍କୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ସେ ନୂଆଦିଲ୍ଲୀକୁ କହିଥିଲେ।

Share