Categories: ଜାତୀୟ

ଆଉ ୬ ପୋସେଇଡନ୍‌ ବିମାନ କିଣିବ ଭାରତ

ନୂଆଦିଲ୍ଲୀ,୨୬ା୭: ଚାଇନା ସହ ସାମରିକ ବିବାଦ ଲାଗି ରହିଥିବାବେଳେ ଭାରତ ଆଉ ୬ଟି ପୋସେଇଡନ୍‌-୮ଆଇ ବିମାନ ଆମେରିକାରୁ କିଣିବାକୁ ଯାଉଛି। ଏଥିସହିତ ୬ଟି ପ୍ରେଡାଟର-ବି ସଶସ୍ତ୍ର ଡ୍ରୋନ୍‌ କିଣିବା ଲାଗି ଯୋଜନା କରାଯାଉଛି। ୨୦୦୯ ଜାନୁୟାରୀରେ ନୌସେନାରେ ୮ଟି ପୋସେଇଡନ୍‌-୮ଆଇ ସାମିଲ ହୋଇଥିଲା। ୨୦୧୬ ଜୁଲାଇରେ ହୋଇଥିବା ଚୁକ୍ତି ଅନୁଯାୟୀ ଆଉ ୪ଟି ବିମାନ ଡିସେମ୍ବରରେ ଆମେରିକା ଯୋଗାଇଦେବ। ନାଭାଲ ପୋସେଇଡନ୍‌-୮ଆଇ ବିମାନରେ ରାଡାର, ଇଲେକ୍ଟ୍ରୋ ଅପ୍‌ଟିକ୍‌ ସେନ୍‌ସର, ହାର୍ପୁନ୍‌ ବ୍ଲକ୍‌୨ କ୍ଷେପଣାସ୍ତ୍ର ଏବଂ ଏମ୍‌କେ-୫୪ ହାଲୁକା ଟରପେଡୋ ରହିଛି। ଭାରତ ମହାସାଗର ସମେତ ପୂର୍ବ ଲଦାଖ ଉପରେ ନଜର ରଖିବାରେ ଏହି ବିମାନକୁ ବ୍ୟବହାର କରାଯାଉଛି। ୧.୮ ବିଲିୟନ ଡଲାରରେ ପୁଣି ୬ଟି ପୋସେଇଡନ୍‌-୮ଆଇ କିଣିବା ଲାଗି ଆମେରିକାକୁ ଅନୁରୋଧ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ଆମେରିକା କଂଗ୍ରେସର ଅନୁମୋଦନ ମିଳିବା ପରେ ଆସନ୍ତା ବର୍ଷ ଚୁକ୍ତି ସ୍ବାକ୍ଷର ହେବ। ସେହିପରି ଜରୁରୀ ଆବଶ୍ୟକତା ଭିତ୍ତିରେ ୬ଟି ପ୍ରେଡାଟର-ବି ଡ୍ରୋନ୍‌ କିଣିବା ପାଇଁ ସଶସ୍ତ୍ର ବଳ ବିଚାର କରୁଛି।

Share