Categories: ଜାତୀୟ

”ସମସ୍ତଙ୍କ ପ୍ରୟାସରେ ଭାରତ ହେବ ବିକଶିତ”: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୯।୧୨: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସମଗ୍ର ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆଭାସୀ ଜରିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଗୁରୁତ୍ୱ ସମ୍ପର୍କରେ ଉଦ୍‍ବୋଧନ ଦେଇଛନ୍ତି ।

ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ହିତାଧିକାରୀଙ୍କ ପାଖରେ ଯେଭଳି ପହଞ୍ଚିପାରିବ ତାହା ସୁନିଶ୍ଚିତ
କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଗରିବ ହିତାଧିକାରୀ ଯୋଜନାର ଲାଭ ପାଇଲେ ତାହା ରାଷ୍ଟ୍ରୀୟ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା, ସ୍ୱଚ୍ଛ ଭାରତ, ବିଦ୍ୟୁତୀକରଣ, ଆୟୁଷ୍ମାନ ଭାରତ, ଜଳଜୀବନ ମିଶନ, ମୁଦ୍ରାଋଣ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଆଦିକୁ ସମାଜର ଅନ୍ତିମ ସୋପାନରେ ଥିବା ଗରିବଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମାସ ୧୫ ତାରିଖରେ ଝାଡଖଣ୍ଡର ଖୁଣ୍ଟିଠାରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ପଞ୍ଚାୟତରେ ଆୟୋଜନ କରାଯାଉଛି ।

Share