Categories: ଖେଳ

ଭାରତ ପ୍ରଥମେ ମଙ୍ଗୋଲିଆକୁ ଭେଟିବ

ଭୁବନେଶ୍ୱର, ୧୩।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଦଳ ଅଂଶଗ୍ରହଣ କରିବେ। ଜୁନ ୯ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହେବ। ଏହି ଦିନ ଅପରାହ୍ନ ୪ଟା ୩୦ରେ ଲେବାନନ ଓ ଭାନୁଆଟୁ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ। ରାତି ୭ଟା ୩୦ରେ ଭାରତ ଏହାର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ଭେଟିବ। ଅଂଶଗ୍ରହଣକାରୀ ୪ ଦଳ ପରସ୍ପରକୁ ଗୋଟିଏ ଲେଖାଏ ମ୍ୟାଚରେ ଭେଟିବେ। ଶୀର୍ଷ ଦୁଇଦଳ ଜୁନ୍‌ ୧୮ରେ ଫାଇନାଲରେ ପରସ୍ପରକୁ ଭେଟିବେ। କାତାରରେ ହେବାକୁଥିବା ୨୦୨୩ ଏଫ୍‌ସି ଏସିଆନ କପ୍‌ ପାଇଁ ଏହି ଟୁର୍ନାମେଣ୍ଟ ପ୍ରସ୍ତୁତି ସଦୃଶ ହେବ। ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ପରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଖେଳିବ। ଏହା ଆସନ୍ତା ଜୁନ୍‌ ୨୧ରୁ ଜୁଲାଇ ୩ ପର୍ଯ୍ୟନ୍ତ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ମୁଖ୍ୟ କୋଚ୍‌ ଇଗର ଷ୍ଟିମାକଙ୍କ ଅଧିନରେ ଜାତୀୟ ଦଳ ଚଳିତ ମାସ ୧୫ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବ। ଏଥିପାଇଁ ଭାରତୀୟ ଦଳର ଖେଳାଳିମାନେ ଶନିବାରଠାରୁ ଭୁବନେଶ୍ୱରରେ ପହଞ୍ଚତ୍ବା ଆରମ୍ଭ କରିବେ। କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ପୂର୍ବ ୨ ସଂସ୍କରଣ ମୁମ୍ବାଇ (୨୦୧୮) ଓ ଅହମଦାବାଦ (୨୦୧୯)ରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟସୂଚୀ
ଜୁନ୍‌ ୯: ଲେବାନନ ବନାମ ଭାନୁଆଟୁ, ଅପରାହ୍ନ ୪ଟା ୩୦
ଭାରତ ବନାମ ମଙ୍ଗୋଲିଆ
ରାତି ୭ଟା ୩୦
ଜୁନ୍‌ ୧୨: ମଙ୍ଗୋଲିଆ ବନାମ ଲେବାନନ, ଅପରାହ୍ନ ୪ଟା ୩୦
ଭାରତ ବନାମ ଭାନୁଆଟୁ
ରାତି ୭ଟା ୩୦
ଜୁନ ୧୫: ଭାନୁଆଟୁ ବନାମ ମଙ୍ଗୋଲିଆ, ଅପରାହ୍ନ ୪ଟା ୩୦
ଭାରତ ବନାମ ଲେବାନନ
ରାତି ୭ଟା ୩୦
ଜୁନ୍‌ ୧୮: ଫାଇନାଲ, ରାତି ୭ଟା ୩୦।

Share