Categories: ଖେଳ

ଭାରତ ଆଜି ଭାନୁଆଟୁକୁ ଭେଟିବ

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ରେ ଲେବାନନ୍‌ ବିପକ୍ଷରେ ଖେଳିବ ମଙ୍ଗୋଲିଆ। ସନ୍ଧ୍ୟା ୭ଟା ୩୦ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ୍‌ରେ ଭାନୁଆଟୁକୁ ଭେଟିବ। ଗତ ଶୁକ୍ରବାର ଭାରତ ଏହାର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଥିଲା। ଭାନୁଆଟୁକୁ ହରାଇପାରିଲେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ତେଣୁ ତୃତୀୟ ମ୍ୟାଚ୍‌କୁ ଅପେକ୍ଷା କରିବା ଅପେକ୍ଷା ଆଗାମୀ ମ୍ୟାଚ୍‌ ଜିତି ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି ଇଗର ଷ୍ଟିମାକ୍‌ଙ୍କ ପ୍ରଶିକ୍ଷଣପ୍ରାପ୍ତ ଘରୋଇ ଦଳ। ପୂର୍ବ ମ୍ୟାଚ୍‌ରେ ଭାରତ ପକ୍ଷରୁ ସହଲ ଅବଦୁଲ ସମଦ ଦ୍ୱିତୀୟ ଏବଂ ଲାଲିଆଞ୍ଜୁଆଲା ଚାଙ୍ଗଟେ ୧୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତେଣୁ ଏହି ଦୁଇ ଖେଳାଳିଙ୍କ ଉପରେ ନିଶ୍ଚିତ ବିପକ୍ଷ ଦଳର ନଜର ରହିବ। ଅନ୍ୟପକ୍ଷରେ ଭାନୁଆଟୁ ନିଜର ପ୍ରଥମ ମ୍ୟାଚ୍‌ରେ ଲେବାନନ୍‌ଠାରୁ ୧-୩ ଗୋଲରେ ହାରିଯାଇଥିଲା। ତେଣୁ ଆଗାମୀ ମ୍ୟାଚ୍‌ ଏହି ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ବିଜୟୀ ହେଲେ ଭାନୁଆଟୁ ଫାଇନାଲ ଦୌଡ଼ରେ ରହିବ, ନଚେତ ଲିଗ୍‌ ପର୍ଯ୍ୟାୟରୁ ବିଦାହେବ। ଦେଖିବାକୁ ଗଲେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ୧୪ ମିନିଟ ମଧ୍ୟରେ ଯାହା ଗୋଲ ସ୍କୋର କରିଥିଲା। ଖେଳର ଅବଶିଷ୍ଟ ଭାଗରେ ଦଳ ପ୍ରତିପକ୍ଷ ରକ୍ଷଣଭାଗ ଭେଦ କରିବାରେ ସଫଳ ହୋଇ ନ ଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାନୁଆଟୁ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡ଼ିବ। କାରଣ ମ୍ୟାଚ୍‌ ହାରିଥିଲେ ମଧ୍ୟ ଭାନୁଆଟୁ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା। ତେଣୁ ଏହି ଦଳକୁ କେବେ ହାଲ୍‌କାଭାବେ ନେଇହେବନି।
ଭାରତୀୟ ସିନିୟର ପୁରୁଷ ଫୁଟବଲ ଦଳ ପ୍ରଥମଥର ପାଇଁ ଭାନୁଆଟୁକୁ ଭେଟିବ। ୧୮ ବର୍ଷରୁ କମ୍‌ ଭାରତୀୟ ଦଳ ୨୦୧୯ରେ ଭାନୁଆଟୁ ଗସ୍ତ କରିଥିଲା। ସେତେବେଳେ ପୋର୍ଟ ଭିଲାରେ ଓଏଫ୍‌ସି ୟୁଥ୍‌ ଡେଭଲପ୍‌ମେଣ୍ଟ ଟୁର୍ନାମେଣ୍ଟ ଟାଇଟଲ ଜିତିବା ପଥରେ ଭାରତୀୟ ଦଳ ୧-୦ ଗୋଲରେ ଭାନୁଆଟୁକୁ ପରାସ୍ତ କରିଥିଲା। ଏହି ଦଳର ସଦସ୍ୟ ଥିବା ଆକାଶ ମିଶ୍ର ଏକମାତ୍ର ଏବେ ଭାରତୀୟ ଦଳରେ ଖେଳୁଛନ୍ତି।

 

Share