Categories: ଜାତୀୟ

ଭିଏତନାମକୁ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌ କୃପାଣ’ ଉପହାର ଦେବ ଭାରତ

ନୂଆଦିଲ୍ଲୀ,୨୦।୬: ଚାଇନା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ ୱାନ ଜିଆଙ୍ଗଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି ଯେ ଭିଏତନାମର ନୌସେନାକୁ ଭାରତ ସ୍ବଦେଶୀ ନିର୍ମିତ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ କୃପାଣ ଉପହାର ଦେବ। ଜିଆଙ୍ଗ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଚାଇନାର ବଢୁଥିବା ପ୍ରଭାବ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଉଭୟ ପକ୍ଷ ଅନେକ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଅଭିଯାନର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ସହଭାଗୀତା ଉପରେ ସନ୍ତୁଷ୍ଟ ପ୍ରକାଶ କରିଥିଲେ। ମନ୍ତ୍ରୀମାନେ ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ବହୁରାଷ୍ଟ୍ରୀୟ ସହଯୋଗର ବିଦ୍ୟମାନ କ୍ଷେତ୍ରକୁ ବୃଦ୍ଧି କରିବାର ମାଧ୍ୟମଗୁଡିକ ବିଶେଷ ଭାବରେ ଚିହ୍ନଟ କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଉଭୟ ପକ୍ଷ ଧ୍ୟାନ ଦେଇଛନ୍ତି ଏବଂ ଦକ୍ଷିଣ ଚାଇନା ସାଗରରେ ପରିସ୍ଥିତିର ସମୀକ୍ଷା କରୁଛନ୍ତି।

Share