Categories: ଖେଳ

ଦକ୍ଷିଣ ଆଫ୍ରିକା ଯିବ ଭାରତ

ନୂଆଦିଲ୍ଲୀ, ୧୫ା୭ (ପି.ଟି.): ଭାରତର ପରବର୍ତ୍ତୀ ଦକ୍ଷିଣ ଆଫ୍ରିକା ଟୁର୍‌ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ସହ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏହାପରେ ୩ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଓପନିଂ ମ୍ୟାଚ ଡର୍ବାନଠାରେ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ଅନ୍ତର୍ଜାତୀୟ ଟି୨୦ ଡିସେମ୍ବର ୧୨ ଓ ୧୪ରେ ଯଥାକ୍ରମେ ଜିକ୍ୱେବର୍‌ହା ଓ ଜୋହାନ୍ସବର୍ଗଠାରେ ହେବ। ଜୋହାନ୍ସବର୍ଗରେ ଆହୁରି ମଧ୍ୟ ଡିସେମ୍ବର ୧୭ରୁ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ପରେ ଡିସେମ୍ବର ୧୯ ଓ ୨୧ରେ ଜିକ୍ୱେବରହା ଓ ପାର୍ଲରେ ଯଥାକ୍ରମେ ଅନୁଷ୍ଠିତ ହେବ। ଟେଷ୍ଟ ମ୍ୟାଚଗୁଡ଼ିକ ଫ୍ରିଡମ୍‌ ସିରିଜ ଗାନ୍ଧୀ-ମଣ୍ଡେଲା ଟ୍ରଫି ନାମରେ ପରିଚିତ ହେବ। ଏହା ଯଥାକ୍ରମେ ସେଞ୍ଚୁରିଅନ ଓ କେପ୍‌ ଟାଉନଠାରେ ଡିସେମ୍ବର ୨୬-୩୦ ଓ ଜାନୁୟାରୀ ୩-୭ରେ ଖେଳାଯିବ। ଗତଥର ଭାରତ ୨୦୨୧-୨୨ରେ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ସିରିଜ ୨୦୨୧-୨୨ରେ ଖେଳିଥିଲା। ସେମାନେ ୧-୨ରେ ହାରିଯାଇଥିଲେ। ସେତେବେଳେ ତତକାଳୀନ ଅଧିନାୟକ ବିରାଟ କୋହଲି ଅପ୍ରତ୍ୟାଶିତ ଭାବେ ପଦ ତ୍ୟାଗ କରିଥିଲେ। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ ଲାଗି ପଥ ପରିଷ୍କାର ହୋଇଯାଇଥିଲା। ଗତ ଟୁର୍‌ରେ ଭାରତ ସେଞ୍ଜୁରିଅନ୍‌ଠାରେ ଓପନିଂ ଟେଷ୍ଟ ୧୧୩ ରନରେ ବିଜୟୀ ହୋଇଥିଲା। ମାତ୍ର ପରବର୍ତ୍ତୀ ଦୁଇ ଟେଷ୍ଟ ହାରିଯାଇଥିଲା। ଏହାଛଡ଼ା ସେତେବେଳେ ଖେଳାଯାଇଥିବା ଦିନିକିଆ ସିରିଜ ୦-୩ରେ ପରାସ୍ତ ହୋଇଥିଲା।

Share