Categories: ଖେଳ

ଆଜି ଜାପାନକୁ ଭେଟିବ ଭାରତ

ଭୁବନେଶ୍ୱର,୨୬ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ ୨୦୨୩ରେ ୯-୧୬ ସ୍ଥାନ ପାଇଁ ଗୁରୁବାରଠାରୁ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ କ୍ଲାସିଫିକେଶନ ମ୍ୟାଚ। ଗୁରୁବାର ସନ୍ଧ୍ୟା ୭ଟାରେ ଭାରତ ଓ ଜାପାନ ମଧ୍ୟରେ ଲଢେଇ ହେବ। ଉଭୟ ଦଳ ସେମାନଙ୍କ କ୍ରସ୍‌ଓଭର ମ୍ୟାଚରେ ପରାଜିତ ହୋଇଥିଲେ। ନ୍ୟୁଜିଲାଣ୍ଡ ନିକଟରୁ କ୍ରସ୍‌ ଓଭର ମ୍ୟାଚ ହାରିବା ସହିତ ଭାରତ କ୍ୱାର୍ଟର ଦୌଡରୁ ବାଦ ପଡିଥିଲା। ତେଣୁ ଦଳ ୯-୧୬ ସ୍ଥାନ କ୍ଲାସିଫିକେସନ ମ୍ୟାଚ୍‌ ଖେଳିବ। ପୁଲ୍‌ ଡି’ରେ ସ୍ଥାନ ପାଇଥିବା ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଭାରତୀୟ ଦଳ ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୨-୦ରେ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ବିପକ୍ଷ ଗୋଲଶୂନ୍ୟ ମ୍ୟାଚରେ ପଏଣ୍ଟ ବାଣ୍ଟିଥିଲା। ଅନ୍ତିମ ମ୍ୟାଚରେ ଓ୍ବେଲ୍ସକୁ ୪-୨ରେ ପରାସ୍ତ କରିଥିଲା ଭାରତ। ଉଭୟ ଭାରତ ଓ ଇଂଲଣ୍ଡ ଅପରାଜେୟ ରହି ସମାନ ୭ ପଏଣ୍ଟ ଅର୍ଜନ କରିଥିବା ବେଳେ ଉନ୍ନତ ଗୋଲ ବ୍ୟବଧାନରେ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ସଡନ ଡେଥ୍‌ରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ପୁଲ୍‌ ବିରେ ସ୍ଥାନ ପାଇଥିବା ଜାପାନ ନିଜର ୩ଟି ଯାକ ଗ୍ରୁପ ମ୍ୟାଚରେ ପରାଜିତ ହୋଇଥିଲା। ଭାରତୀୟ ଦଳ ନକ୍‌ଆଉଟ ଦୌଡରୁ ବାଦ ପଡିଥିଲେ ହେଁ ସମ୍ମାନ ରକ୍ଷା ପାଇଁ ଦଳ ଅନ୍ତିମ ପ୍ରୟାସ କରିବ। ଅନ୍ୟ ପକ୍ଷରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ଦୁର୍ବଳତାକୁ ଏଡାଇବାକୁ ମଧ୍ୟ ପ୍ରୟାସ କରିବ ଦଳ। ଜାପାନ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିବା ବେଳେ ଫର୍ମକୁ ଫେରିବାକୁ ପ୍ରୟାସ କରିବ ହରମନ୍‌ପ୍ରୀତ ସିଂଙ୍କ ଦଳ। ୨୮ ତାରିଖରେ ଭାରତ ନିଜର ଦ୍ୱିତୀୟ କ୍ଲାସିଫିକେଶନ ମ୍ୟାଚ୍‌ ଖେଳିବ।

Share