Categories: ଖେଳ

କିର୍ଗିଜ୍‌ସ୍ତାନକୁ ଭେଟିବ ଭାରତ

ଇମ୍ଫାଲ,୨୭ା୩: ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ମଙ୍ଗଳବାର କିର୍ଗିଜ୍‌ସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଭାରତ ମ୍ୟାନ୍‌ମାରକୁ ୧-୦ରେ ପରାସ୍ତ କରିଥିଲା। ତ୍ରିରାଷ୍ଟ୍ରୀୟ ସିରିଜ୍‌ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ଅନୂ୍ୟନ ଡ୍ର ଆବଶ୍ୟକ। ତେବେ ଭାରତ ମ୍ୟାଚ୍‌ ଜିତିବାକୁ ସମସ୍ତ ପ୍ରୟାସ କରିବ ବୋଲି କହିଛନ୍ତି କୋଚ୍‌ ଇଗୋର ଷ୍ଟିମାକ୍‌। ଅନ୍ୟପକ୍ଷରେ ଟ୍ରଫି ଜିତିବାକୁ ହେଲେ କିର୍ଗିଜ୍‌ସ୍ତାନକୁ ନିଶ୍ଚିତ ବିଜୟ ଆବଶ୍ୟକ। ସୋମବାର ଭାରତୀୟ ଦଳର ଗୋଲକିପର ଅମରିନ୍ଦର ସିଂ ଓ ଷ୍ଟିମାକ୍‌ ଯୋଗ ଦେଇଥିଲେ। ଭାରତୀୟ ଦଳ ସ୍ଥାନୀୟ ସମର୍ଥକଙ୍କ ଉପସ୍ଥିତିରେ ଜିତିବାକୁ ସମସ୍ତ ଚେଷ୍ଟା କରିବ ବୋଲି କହିଥିଲେ ଅମରିନ୍ଦର। ଟିମ୍‌ରେ ଯେତେବେଳେ ବି ସୁଯୋଗ ମିଳିଥାଏ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିଥାଏ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଷ୍ଟିମାକ୍‌ ମଧ୍ୟ ଅମରିନ୍ଦରଙ୍କ ପ୍ରଶଂସା କରିଛନ୍ତି। ଭାରତ ବର୍ତ୍ତମାନ ଫିଫା ର଼୍ୟାଙ୍କିଙ୍ଗରେ ୧୦୬ରେ ରହିଥିବା ବେଳେ କିର୍ଗିଜ୍‌ସ୍ତାନ ୯୪ରେ ରହିଛି। ଉଭୟ ଦଳ ୪ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ୩ଥର ବିଜୟୀ ହୋଇଛି। ତେବେ ଶେଷଥର ପାଇଁ ୨୦୧୯ରେ ଏଏଫ୍‌ସି ଏସିଆନ୍‌ କପ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କିର୍ଗିଜ୍‌ସ୍ତାନ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଭାରତ ବିପକ୍ଷ ମ୍ୟାଚ୍‌ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କୋଚ୍‌ ଆଲେକ୍‌ଜାଣ୍ଡାର କ୍ରେଷ୍ଟିନିନ୍‌। ମ୍ୟାନ୍‌ମାର ବିପକ୍ଷ ମ୍ୟାଚ୍‌ରେ ଦଳ ଅନେକ ଭୁଲ୍‌ କରିଥିବା ବେଳେ ଏହାକୁ ଭାରତ ବିପକ୍ଷରେ ସୁଧାରିବାକୁ ପ୍ରୟାସ କରାଯିବ ବୋଲି କୋଚ୍‌ କହିଛନ୍ତି।

Share