Categories: ଖେଳ

ଭାରତ ଆଜି ନେପାଳକୁ ଭେଟିବ

ବେଙ୍ଗାଲୁରୁ, ୨୪।୬: ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ ଶନିବାର ନେପାଳ ସହିତ ଖେଳିବ। ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୪-୦ ଗୋଲରେ ହରାଇ ସାରିଥିବା ଭାରତ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି। ନେପାଳ ବିପକ୍ଷ ମ୍ୟାଚ ଜିତିଲେ ଭାରତର ସେମିଫାଇନାଲ ପ୍ରବେଶ ଆଶା ଦୃଢ଼ ହୋଇଯିବ। ଏପରିକି ଅନ୍ୟ ମ୍ୟାଚରେ ଯଦି ପାକିସ୍ତାନ ବିପକ୍ଷରେ କୁଏତ ମ୍ୟାଚ ଡ୍ର ରଖେ କିମ୍ବା ବିଜୟ ହାସଲ କରେ ତେବେ ଭାରତ ସେମିଫାଇନାଲରେ ପ୍ରବେଶ କରିଯିବ। ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଫଳରେ ସେ ସମ୍ପୂର୍ଣ୍ଣ ଫର୍ମରେ ଥିବାର ସୂଚନା ଦେଇଛନ୍ତି।
ସାଫ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳକୁ ଭାରତ ସମ୍ମାନ ଦିଏ ବୋଲି କୋଚ୍‌ ଇଗର ଷ୍ଟିମାକ ସ୍ପଷ୍ଟ କରିଛନ୍ତି। ତେଣୁ ଅନ୍ୟ ଦଳକଥା ବେଶୀ ଭାବିବା ଅପେକ୍ଷା ନିଜର ଶକ୍ତି ସାମର୍ଥ୍ୟ ଉପରେ ଦଳ ଅଧିକ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ରେ ଜଣେ ଖେଳାଳି ଥ୍ରୋ କରୁଥିବା ସମୟରେ ବଲ୍‌କୁ ହାତରେ ଠେଲି ଷ୍ଟିମାକ ରେଡ୍‌ କାର୍ଡ ପାଇଥିଲେ। ଏଥିପାଇଁ ସେ ଅନୁଶୋଚନା କରୁନାହାନ୍ତି, ବରଂ ଦଳପାଇଁ ଯାହା ହିତ ତାହା ସେ କରୁଛନ୍ତି ବୋଲି ଷ୍ଟିମାକ୍‌ କହିଛନ୍ତି। ରେଫରିଙ୍କ ନିଷ୍ପତ୍ତିକୁ ବିରୋଧକରି ସେ ଏପରି କରିଥିବା କହିଛନ୍ତି। ଷ୍ଟିମାକଙ୍କ ପ୍ରଶିକ୍ଷଣରେ ଭାରତ ଏହା ପୂର୍ବରୁ ନେପାଳକୁ ୪ ଥର ଭେଟି ସାରିଛି। ଏଥିରୁ ୩ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ଡ୍ର ରଖିଛି। ଶେଷଥରପାଇଁ ୨୦୨୧ ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲରେ ପରସ୍ପର ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ନେପାଳକୁ ୩-୦ ଗୋଲରେ ହରାଇ ଭାରତ ରେକର୍ଡ ୮ ଥରପାଇଁ ଚାମ୍ପିୟନ ହୋଇଥିଲା। ସେହି ମ୍ୟାଚରେ ସୁନୀଲ ଛେତ୍ରୀ, ସୁରେଶ ସିଂ ଓ୍ବାଙ୍ଗଜାମ୍‌ ଓ ସହଲ ଅବଦୁଲ ସମଦ ଗୋଲ ସ୍କୋର କରିଥିଲେ। ତେବେ ନୂଆ କୋଚ୍‌ ଭିନ୍‌ସେଞ୍ଜୋ ଆଲବର୍ଟୋ ଆନେସେଙ୍କ ପ୍ରଶିକ୍ଷଣରେ ନେପାଳ ପ୍ରଦର୍ଶନରେ ଉନ୍ନତି ହୋଇଛି। ଆନେସେଙ୍କ ପ୍ରଶିକ୍ଷଣରେ ଗୋକୁଳମ କେରଳ ୨୦୨୧ ଓ ୨୦୨୨ରେ କ୍ରମାଗତ ଆଇ-ଲିଗ୍‌ ଟାଇଟଲ ଜିତିଥିଲା। ନେପାଳ ଏହାର ପ୍ରଥମ ମ୍ୟାଚରେ କୁଏତ ନିକଟରୁ ୧-୩ ଗୋଲରେ ହାରି ଯାଇଥିଲେ ମଧ୍ୟ ଆଗାମୀ ମ୍ୟାଚରେ ଚ୍ୟାଲେଞ୍ଜ ଦେଇପାରେ ବୋଲି ଷ୍ଟିମାକ୍‌ ଆଶା କରୁଛନ୍ତି। ଅନ୍ୟପକ୍ଷରେ ଇଟାଲିଆନ କୋଚ୍‌ ଆନେସେ କହିଛନ୍ତି ଯେ, ”ଗତ ୭ ମ୍ୟାଚରେ ଗୋଲ ବରଣ କରି ନ ଥିବା ଭାରତୀୟ ଦଳକୁ ଆମେ ଭେଟିବାକୁ ଯାଉଛୁ। ଆଇଏସ୍‌ଏଲ୍‌ ପରି ଲିଗ୍‌ ଖେଳୁଥିବା ଅନେକ ଦକ୍ଷ ଖେଳାଳି ଏହି ଦଳରେ ରହିଛନ୍ତି। ତେଣୁ ଆଗାମୀ ମ୍ୟାଚ ଆମପାଇଁ କଷ୍ଟସାଧ୍ୟ ହେବ। ତେବେ ଆମେ ଆମ ଦକ୍ଷତା ଅନୁସାରେ ଖେଳିବୁ। ଷ୍ଟାଡିୟମରେ ଉପସ୍ଥିତ ୨୦,୦୦୦ ଦର୍ଶକଙ୍କ ବିପକ୍ଷରେ ଆମକୁ ଖେଳିବାକୁ ହେବ। ତେଣୁ ଆମକୁ ୧୦୦ ପ୍ରତିଶତରୁ ଅଧିକ ଦେବାକୁ ପଡ଼ିବ“।

Share