ଭୁବନେଶ୍ୱର, ୨୮ା୧୦: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଏଫ୍ଆଇଏଚ୍ ପ୍ରୋ-ଲିଗ୍ରେ ଭାରତୀୟ ପୁରୁଷ ହକି ଦଳ ସେମାନଙ୍କ ଉଦ୍ଘାଟନୀ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବେ। ଏଥି ସହିତ ଦଳ ଏହାର ବିଶ୍ୱକପ୍ ପ୍ରସ୍ତୁତି ଆରମ୍ଭ କରିବ। ଭାରତ ରବିବାର ଏହାର ପରବର୍ତ୍ତି ମ୍ୟାଚ ସ୍ପେନ୍ ବିପକ୍ଷରେ ଖେଳିବ। ପରେ ରିଟର୍ନ କାର୍ଯ୍ୟସୂଚୀରେ ଦଳ ନଭେମ୍ବର ୪ରେ ନ୍ୟୁଜିଲାଣ୍ଡ ଏବଂ ନଭେମ୍ବର ୬ରେ ସ୍ପେନ୍ ସହ ମୁକାବିଲା କରିବ। ପ୍ରୋ-ଲିଗ୍ରେ ଖେଳିବାକୁ ଥିବା ୪ଟି ଗେମ୍ ଏବଂ ଆସନ୍ତା ମାସରେ ଆଡିଲେଡ୍ରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଗତ ଦୁଇ ସପ୍ତାହ ଦ୍ୱାରା ଆମେ ଜୋର୍ଦାର ପ୍ରସ୍ତୁତି ଚାଲିଥିଲା ବୋଲି ଭାରତୀୟ ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଶ୍ରେଷ୍ଠ ହକି ଖେଳିବା ଆମର ମୂଳ ଲକ୍ଷ୍ୟ ରହିବ। ଆକ୍ରମଣ କ୍ଷମତାରେ ଉନ୍ନତି ଅଣାଯାଇଛି। ଏହି ଅବସରରେ ଆଗାମି ମ୍ୟାଚଗୁଡ଼ିକ ଲାଗି ଅଧିନାୟକ ମନୋନୀତ ହୋଇଥିବା ହରମନପ୍ରୀତ ସିଂ କହିଛନ୍ତି ଦଳ ଗତ ସିଜନ ତୁଳନାରେ ଏଥର ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ। ଏଫ୍ଆଇଏଚ୍ ପ୍ରୋ-ଲିଗ୍ର ଗତ ସିଜନରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଥିଲା।