Categories: ଖେଳ

ଆଜି ପାକିସ୍ତାନକୁ ଭେଟିବ ଭାରତ

ଅହମଦାବାଦ,୧୪ା୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌-୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯିବ। ଭାରତରେ ଖେଳାଯାଉଥିବା ଏହି ବିଶ୍ୱକପ୍‌ରେ ଘରୋଇ ଦଳ ଫେଭରିଟ୍‌ ରହିବ। ୭ ବର୍ଷ ପରେ ପାକିସ୍ତାନ ଦଳ ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଆସିଛି। ଅନ୍ୟପକ୍ଷରେ ରେକର୍ଡକୁ ଦେଖିଲେ ଭାରତୀୟ ଦଳକୁ ଫେଭରିଟ୍‌ ବୋଲି ବିବେଚନା କରାଯିବ।

ଦିନିକିଆରେ ରେକର୍ଡ ପାକିସ୍ତାନ ସପକ୍ଷରେ ରହିଥିଲେ ମଧ୍ୟ ବିଶ୍ୱକପ୍‌ରେ ଭାରତର ପଲା ଭାରି ରହିଛି। ୧୩୪ ଥର ଦିନିକିଆରେ ଖେଳିଥିବା ବେଳେ ପାକିସ୍ତାନ ୭୩ ଥର ବିଜୟୀ ହୋଇଛି ଓ ଭାରତ ୫୬ ଥର ଜିତିଛି। ଏହା ମଧ୍ୟରେ ୫ଟି ମ୍ୟାଚ ବାତିଲ ହୋଇଥିବା ବେଳେ ଘରୋଇ ମାଟିରେ ଭାରତ ୧୧ ଥର ବିଜୟୀ ହୋଇଛି। ଉଭୟ ଦଳ ବିଶ୍ୱକପ୍‌ରେ ୭ ଥର ପରସ୍ପରକୁ ଭେଟିଥିବା ବେଳେ ସମସ୍ତ ଥର ଭାରତ ବିଜୟ ମୁକୁଟ ପିନ୍ଧିଛି। ଅଷ୍ଟମ ମୁକାବିଲାରେ ମଧ୍ୟ ଭାରତ ସମାନ ସଫଳତା ଦୋହରାଇବାକୁ ପ୍ରୟାସ କରିବ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଘରୋଇ ପରିବେଶର ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଉଭୟ ଦଳ ବିଶ୍ୱକପ୍‌ର ପ୍ରଥମ ଦୁଇ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ପାକିସ୍ତାନ ଅପେକ୍ଷା ଭାରତୀୟ ଦଳ ଅଧିକ ସନ୍ତୁଳିତ ମନେହେଉଛି। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଦଳର ପ୍ରଦର୍ଶନ ଚମତ୍କାର ରହିଥିବା ବେଳେ ଶନିବାର ମ୍ୟାଚରେ ଭାରତ ଏହାର ବିଜୟ ରେକର୍ଡ ୮-୦ରେ ପହଞ୍ଚାଇବା ନେଇ ଆଶା କରାଯାଉଛି।

Share