Categories: ଖେଳ

ଭାରତ ଆଜି ପାକିସ୍ତାନକୁ ଭେଟିବ

ସାଲାଲା (ଓମାନ), ୨୭।୫ (ପି.ଟି.): ଏଠାରେ ଚାଲିଥିବା ଜୁନିୟର ଏସିଆ କପ୍‌ ପୁରୁଷ ହକିରେ ଭାରତ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ଏହା ପୂର୍ବରୁ ଖେଳିଥିବା ୨ଟି ମ୍ୟାଚରେ ଚାଇନିଜ୍‌ ତାଇପେକୁ ୧୮-୦ ଏବଂ ଜାପାନକୁ ୩-୧ ଗୋଲରେ ହରାଇ ସାରିଛି। ତେଣୁ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ। ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଟୁର୍ନାମେଣ୍ଟରେ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଅପରାଜେୟ ରହିଛି। ଖେଳିଥିବା ୨ଟି ମ୍ୟାଚରେ ଚାଇନିଜ୍‌ ତାଇପେକୁ ୧୫-୧ ଓ ଥାଇଲାଣ୍ଡକୁ ୯-୦ ଗୋଲରେ ହରାଇଛି। ତେଣୁ ପୁଲ୍‌ ‘ଏ’ର ଆଗାମୀ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।
ଭାରତୀୟ ଦଳର ଅଧିନାୟକ ଉତ୍ତମ ସିଂ କହିଛନ୍ତି, ୨ଟି ବିଜୟ ଖେଳାଳିଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିଛି। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ ସ୍ବୀକାର କରିଛନ୍ତି। ”ଆମେ ବୃହତ୍‌ ବିଜୟ ସହ ଟୁର୍ନାମେଣ୍ଟ ଆରମ୍ଭ କରିଛୁ। ତେଣୁ ପାକିସ୍ତାନ ବିପକ୍ଷରେ ମଧ୍ୟ ସେପରି ପ୍ରଦର୍ଶନ କରିବାନେଇ ଆଶା ରହିଛି। ପ୍ରଥମ ୨ଟି ବିଜୟ ଆମର ଆତ୍ମବିଶ୍ୱାସ ବଢ଼ାଇଛି। ଏହାକୁ ପାଥେୟ କରି ଆମେ ଆଗକୁ ବଢ଼ିବା ଆବଶ୍ୟକ ହେଉଛି। ପାକିସ୍ତାନ ଏକ ଶକ୍ତିଶାଳୀ ଦଳ। ତେଣୁ ଆଗାମୀ ମ୍ୟାଚରେ କଡା ଟକ୍କର ହେବ“ ବୋଲି ଉତ୍ତମ ପ୍ରକାଶ କରିଛନ୍ତି। ପାକିସ୍ତାନ ଦଳରେ ଆକ୍ରମଣାତ୍ମକ ପ୍ରଦର୍ଶନ କରୁଥିବା ଅନେକ ଖେଳାଳି ଅଛନ୍ତି। ତେବେ ଭାରତୀୟ ଦଳର ଦୃଢ଼ ରକ୍ଷଣଭାଗ ଏହାକୁ ପ୍ରତିହତ କରିପାରିବ ବୋଲି ସେ ଆଶାବାଦୀ ଅଛନ୍ତି।
ଶେଷ ଥର ପାଇଁ ଦୁଇ ଦଳ ମଧ୍ୟରେ ୨୦୧୫ରେ ମୁକାବିଲା ହୋଇଥିଲା। ଏହା ଜୁନିୟର ଏସିଆ କପ୍‌ ଫାଇନାଲ ଥିଲା ଏବଂ ଏଥିରେ ଭାରତ ୬-୨ ଗୋଲରେ ବିଜୟୀ ହୋଇଥିଲା। ୨୦୧୧ରୁ ଏ ପର୍ଯ୍ୟନ୍ତ ଦୁଇ ଦଳ ପରସ୍ପରକୁ ୭ ଥର ଜୁନିୟର ଏସିଆ କପ୍‌ରେ ଭେଟିଛନ୍ତି। ଏଥିରୁ ଭାରତ ୫ଥର ଜିତିଥିବାବେଳେ ପାକିସ୍ତାନ ଥରେ ବିଜୟୀ ହୋଇଛି। ଅନ୍ୟ ଗୋଟିଏ ମ୍ୟାଚ ଡ୍ର ରହିଥିଲା। ଆଗାମୀ ମ୍ୟାଚରେ ଭାରତୀୟ ଦଳ ଧୈର୍ଯ୍ୟର ସହ ନିଜର ଶକ୍ତି ଅନୁସାରେ ଖେଳିବ ବୋଲି ମୁଖ୍ୟ କୋଚ୍‌ ସି.ଆର. କୁମାର ପ୍ରକାଶ କରିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ଭାରତ ଏହାର ଅନ୍ତିମ ମ୍ୟାଚ ରବିବାର ଥାଇଲାଣ୍ଡ ବିପକ୍ଷରେ ଖେଳିବ।

Share