Categories: ଜାତୀୟ

‘ଭାରତକୁ ତାଲିବାନ୍‌ ହେବାକୁ ଦିଆଯିବନି’

ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍‌ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍‌ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଭବାନୀପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ଏକ ସଭାକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା କହିଛନ୍ତି, ଭାଜପା ପଶ୍ଚିମବଙ୍ଗବାସୀଙ୍କୁ ମିଛ କହୁଛନ୍ତି। ରାଜ୍ୟରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା କରାଇ ନ ଦେବାକୁ ଟିଏମ୍‌ସି ଚାହୁଁଥିବା ଭାଜପା ଅପପ୍ରଚାର ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମନେ ରଖିବା ଉଚିତ ଯେ, ଆମେ ସେମାନଙ୍କୁ ଦେଶକୁ ବିଭାଜିତ କରାଇଦେବୁ ନାହିଁ। ଗାନ୍ଧିଜୀ, ନେତାଜୀ, ସ୍ବାମୀ ବିବେକାନନ୍ଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଗୁରୁ ନାନକ, ଗୌତମ ବୁଦ୍ଧ ଓ ଜୈନ ଅନୁଗାମୀ ସମସ୍ତେ ଏଠାରେ ଏକାଠି ରହିବେ। ଏହି ଅବସରରେ ସେ ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ତାଙ୍କ ଭାଗ୍ୟର ଖେଳ(ତକ୍‌ଦିର କା ଖେଲା) ବୋଲି କହିଛନ୍ତି।

Share