Categories: ଖେଳ

ବାଂଲାଦେଶକୁ କ୍ଲିନ୍‌ ସୁଇପ୍‌ରୁ ରୋକିବ ଭାରତ

ଚଟ୍ଟୋଗ୍ରାମ୍‌,୧୦ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଇଞ୍ଜୁରି ଓ ଫିଟ୍‌ନେସ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭାରତ ପ୍ରଥମ ଦୁଇଟି ମ୍ୟାଚରେ ହାରିସାରିଥିବାରୁ ଏହି ମ୍ୟାଚ ଜିତି ଲିଟନ ଦାସଙ୍କ ଦଳକୁ କ୍ଲିନ୍‌ ସୁଇପ୍‌ ବିଜୟରୁ ରୋକିବାକୁ ଚେଷ୍ଟା କରିବ। ଆସନ୍ତା ଡିସେମ୍ବର ୧୪ରୁ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ। ଅନ୍ୟପକ୍ଷରେ ବାଂଲାଦେଶ ୩-୦ରେ ସିରିଜ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ଲାଗି ଚେଷ୍ଟା କରିବ। ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡରେ ଭାରତ ଶେଷ ଗେମ୍‌ ଓ ବାଂଲାଦେଶ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମଧ୍ୟରେ ସମୟ ବ୍ୟବଧାନ ଖୁବ୍‌ କମ୍‌। ଚଳିତ ସିରିଜ ପାଇଁ ପ୍ରକୃତରେ ୨୦ କ୍ରିକେଟର ଉପଲବ୍ଧ ଥିଲେ। ମାତ୍ର ସପ୍ତାହକ ମଧ୍ୟରେ ସବୁ ଏପଟ ସେପଟ ହୋଇଗଲା। ଫାଇନାଲ ଗେମ୍‌ ପାଇଁ ବର୍ତ୍ତମାନ ୧୪ ଜଣ ଖେଳାଳି ଉପଲବ୍ଧ ହେଉଛନ୍ତି। ତାଙ୍କ ଭିତରୁ ଚୂଡ଼ାନ୍ତ ଏକାଦଶ ବାଛିବାକୁ ପଡ଼ିବ। ଭାରତୀୟ ବୋଲିଂ ଆକ୍ରମଣ ବର୍ତ୍ତମାନ ସ୍ବଳ୍ପ ଅଭିଜ୍ଞତାସମ୍ପନ୍ନ ମନେ ହେଉଥିବାରୁ କୁଲ୍‌ଦୀପ ଯାଦବଙ୍କୁ ଚଟ୍ଟୋଗ୍ରାମ୍‌ ପଠାଯାଇଛି। ଏହି ବାମହାତୀ ସ୍ପିନ ବୋଲର ୭୨ ଅନ୍ତର୍ଜାତୀୟ ଦିନିକିଆ ଖେଳି ୧୧୮ ଉଇକେଟ ଅକ୍ତିଆର କରିଛନ୍ତି। ବୋଲିଂ ଲାଇନ୍‌ ଅପ୍‌ରେ ସେ ହେଉଛନ୍ତି ସବୁଠାରୁ ଅଭିଜ୍ଞ ବୋଲର। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବାମ ବୃଦ୍ଧାଙ୍ଗୁଳି ହାଡ଼ ଭାଙ୍ଗିଯାଇଥିବାରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଦୀୟମାନ ପେସ୍‌ ବୋଲର କୁଲ୍‌ଦୀପ ସେନ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳି ସାରିବା ପରେ ତାଙ୍କ ପିଠିରେ ଆଘାତ ଲାଗିଛି।
ଭାରତୀୟ ଦଳ: କେ.ଏଲ୍‌. ରାହୁଲ (ଅଧିନାୟକ), ଶିଖର ଧାଓ୍ବନ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ (ଉଇକେଟକିପର), ମହମ୍ମଦ ସିରାଜ, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଓ୍ବାଶିଂଟନ ସୁନ୍ଦର, ଶାହାବନ ଅହମ୍ମଦ, ଅକ୍ଷର ପଟେଲ, ଶାର୍ଦ୍ଦୂଳ ଠାକୁର, ଉମରାନ ମଲିକ ଓ କୁଲଦୀପ ଯାଦବ।
ବାଂଲାଦେଶ ଦଳ: ଲିଟନ କୁମାର ଦାସ, ଏନାମୁଲ ହେଗ୍‌ ବିଜଏ, ଶକିବ ଅଲହସନ, ମୁସ୍‌ଫିକର ରହିମ, ଆଫିଫ୍‌ ହୋସେନ, ୟାସିର ଅଲ୍‌ ଚୌଧାରୀ, ମେହଦି ହସନ ମିରାଜ, ମୁସ୍ତାଫିଜୁର ରହମନ, ତସ୍କିନ ଅହମ୍ମଦ, ହସନ ମେହମୁଦ, ଇବାଦତ ହୋସେନ ଚୌଧାରୀ, ନାସୁମ ଅହମଦ, ମହମ୍ମଦ ଉଲ୍ଲା, ନଜମୁଲ ହୋସେନ ଶାନ୍ତୋ, କ୍ୱାଜି ନୁରୁଲ ହସନ ସୋହାନ, ଶୋରିଫୁଲ୍‌ ଇସ୍‌ଲାମ।

Share