Categories: ଖେଳ

ଭାରତ ରେକର୍ଡ ୬୩୪ ଆଥଲେଟ ପଠାଇବ

ନୂଆଦିଲ୍ଲୀ, ୨୬ା୮ (ପି.ଟି.): ଚାଇନାର ହାଙ୍ଗ୍‌ଝୋଠାରେ ଏସିଆନ ଗେମ୍ସ ଭାଗ ନେବା ଲାଗି ଭାରତ ରେକର୍ଡ ସଂଖ୍ୟକ ୬୩୪ ଆଥଲେଟ୍‌ ପଠାଇବ। ଶୁକ୍ରବାର ଖେଳାଳି ତାଲିକା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ଲାଭ କରିଛି। ପୂର୍ବରୁ ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ମହାଦେଶୀୟ କ୍ରୀଡ଼ା ପ୍ରତିଯୋଗିତାର ଗତ ସଂସ୍କରଣରେ ସର୍ବାଧିକ ୫୭୨ ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ। ସେପ୍ଟେମ୍ବର ୨୩ରୁ ହେବାକୁଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ୮୫୦ ଆଥଲେଟଙ୍କ ନାମ ସୁପାରିସ କରିଥିଲା। ଭାରତୀୟ ଦଳରେ ଦୌଡ଼ କୁଦ ଇଭେଣ୍ଟ ଲାଗି ୬୫ ଆଥଲେଟ (୩୪ ପୁରୁଷ ଓ ୩୧ ମହିଳା) ସ୍ଥାନ ପାଇଛନ୍ତି। ୩୮ଟି ଖେଳ ପ୍ରତିଯୋଗିତାରେ ଭାରତ ଭାଗ ନେବ। ଦଳରେ ୪୪ ଫୁଟ୍‌ବଲର (୨୨ ପୁରୁଷ ଓ ୨୨ ମହିଳା) ସ୍ଥାନ ପାଇଛନ୍ତି। ହକି ପାଇଁ ଦଳରେ ତୃତୀୟ ସର୍ବାଧିକ ୩୬ଜଣ ଖେଳାଳି (ପୁରୁଷ ଓ ମହିଳା ବିଭାଗରେ ୧୮ଜଣ ଲେଖାଏଁ ଖେଳାଳି) ସ୍ଥାନ ପାଇଛନ୍ତି। ତାଲିକାରେ ୩୦ କ୍ରିକେଟର (୧୫ ପୁରୁଷ ଓ ୧୫ ମହିଳା) ସ୍ଥାନ ପାଇଛନ୍ତି। ଏସିଆନ ଗେମ୍ସ ଶୁଟିଂରେ ଭାରତ ସବୁବେଳେ ଭଲ ପ୍ରଦର୍ଶନ କରିଆସୁଛି। ଏଥିପାଇଁ ୩୦ ଜଣ ମନୋନୀତ ହୋଇଥିବା ବେଳେ ତାଲିକାରେ ୩୩ ଜଣିଆ ସେଲିଂ ଦଳ ସ୍ଥାନ ପାଇଛନ୍ତି। ଭାରୋତ୍ତୋଳନ, ଜିମ୍ନାଷ୍ଟିକ୍ସ, ହ୍ୟାଣ୍ଡବଲ୍‌ ଓ ରଗ୍‌ବୀ ପାଇଁ କୌଣସି ପୁରୁଷ ଆଥଲେଟ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରିପାରି ନାହିଁ। କୁରାଶ (ମାର୍ଶାଲ ଆର୍ଟ) ଓ ଭାରୋତ୍ତୋଳନ ପାଇଁ କେବଳ ଦୁଇଜଣ କ୍ରୀଡ଼ାବିତ୍‌ (ଉଭୟ ମହିଳା) ତାଲିକାରେ ସ୍ଥାନ ପାଇଛନ୍ତି।
ତାଲିକାରେ ବଜରଙ୍ଗ
କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ବିନା ଟ୍ରାଏଲ୍‌ରେ ଭାରତୀୟ ଦଳରେ ସ୍ଥାନ ଦେବାଲାଗି ଆଇଓଏ ଆଡହକ୍‌ ପ୍ୟାନେଲ କରିଥିବା ସୁପାରିସକୁ ମନ୍ତ୍ରଣାଳୟ ଗ୍ରହଣ କରିଛି। ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ଭିନେଶ ପଙ୍ଘାଲଙ୍କୁ ମଧ୍ୟ ଏସିଆନ ଗେମ୍ସ ଟ୍ରାଏଲ୍ସରୁ ଛାଡ଼ କରାଯାଇ ସିଧାସଳଖ ଏଣ୍ଟ୍ରି ଦିଆଯାଇଥିଲା। ମାତ୍ର ଆଣ୍ଠୁରେ ଇଞ୍ଜୁରୀ ପାଇଁ ସେ ଓହରିଯିବାରୁ ତାଙ୍କ ସ୍ଥାନରେ କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ (୫୩କେଜି)ଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ କୋନେରୁ ହମ୍ପି ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଚେସ୍‌ ଦଳର ସେ ପ୍ରମୁଖ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡି. ହାରିକା ଓ ଆର. ପ୍ରଜ୍ଞାନନ୍ଦ ତାଲିକାରେ ସ୍ଥାନ ପାଇଛନ୍ତି। ୨୦୦୬ ସଂସ୍କରଣ ଡବଲ ସ୍ବର୍ଣ୍ଣ ବିଜେତା ହମ୍ପି ଏଥର ଏସିଆନ ଗେମ୍ସରେ ସେ ଅଂଶଗ୍ରହଣ କରି ନ ପାରନ୍ତି ବୋଲି ବର୍ଷ ଆରମ୍ଭରେ କହିଥିଲେ।

Share