ଅପେକ୍ଷାର ହେବ ଅନ୍ତ: ଦେଶକୁ ମିଳିବ ଗୋଟିଏ ଡୋଜ ବାଲା ଟିକା!

ନୂଆଦିଲ୍ଲୀ,୧୦ ।୯: କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ ସମସ୍ତେ ଗୋଟିଏ ଡୋଜ୍ ବାଲା ଭ୍ୟାକ୍ସିନକୁ ଅପେକ୍ଷା ରଖିଛନ୍ତି । ହେଲେ ଖୁବଶୀଘ୍ର ଏହାର ଅନ୍ତ ଘଟିବ ବୋଲି ଜଣାପଡିଛି । ଆସନ୍ତା ମାସରେ ଦେଶରେ ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଟିକାର ପ୍ରଥମ ବ୍ୟାଚ କସୌଲି ସ୍ଥିତ କେନ୍ଦ୍ରୀୟ ଗପେଷଣାଗାରରେ ଯାଞ୍ଚ ପାଇଁ ପହଞ୍ଚିବ । ଏହାକୁ କୌସଲି ଓ ପୁଣେ ସ୍ଥିତ ଦୁଇଟି ଭିନ୍ନ ଭିନ୍ନ ଗବେଷଣାଗାରରେ ପରୀକ୍ଷା କରାଯିବ । ଏହି ପ୍ରକ୍ରିୟା ପାଇଁ ପାଖାପାଖି ୨ ସପ୍ତାହ ସମୟ ଲାଗିପାରେ । ଯାହାପରେ ଏହି ଟିକା ଟିକାକରଣ ପାଇଁ ଉପଲବ୍ଧ ହୋଇପାରିବ । ଜନସନ ଆଣ୍ଡ ଜନସନ ଫାର୍ମା କମ୍ପାନୀ ଏହି ଗୋଟିଏ ଡୋଜ ବାଲା ଟିକାକୁ ପ୍ରସ୍ତୁତ କରିଛି । ନିକଟରେ କମ୍ପାନୀକୁ ଭାରତ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହାସହ କମ୍ପାନୀକୁ ଭ୍ୟାକ୍ସିନ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି । ହେଲେ ହାଇଦ୍ରାବାଦ ସ୍ଥିତ ଫାର୍ମା କମ୍ପାନୀ ବାୟୋଲଜିକ ଇ ସହ ହୋଇଥିବା ଚିକ୍ତି ଅନୁଯାୟୀ ଏହାର ଘରୋଇ ଉତ୍ପାଦନ ମଧ୍ୟ ଆଗାମୀ ଦିନରେ ଆରମ୍ଭ ହୋଇଯିବ । ଡ୍ରଗ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୋଟିଏ ଡୋଜ ବାଲା ଏହି ଟିକାର ଘରୋଇ ଉତ୍ପାଦନ ପାଇଁ ଜନସନ ଆଣ୍ଡ ଜନସନ କମ୍ପାନୀକୁ ପୁଣିଥରେ ଅନୁମତି ନେବାକୁ ପଡିବ ।

Share