Categories: ଖେଳ

ବିନା ପ୍ରସ୍ତୁତିରେ ଅଭିଯାନ ଆରମ୍ଭ କରିବ ଭାରତ

ହାଙ୍ଗଝୋ,୧୯ା୯ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୨୦୨୩ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଆରମ୍ଭ ହେବ ଫୁଟବଲ ଟୁର୍ନାମେଣ୍ଟ। ଭାରତୀୟ ପୁରୁଷ ଦଳ ଚାଇନା ବିପକ୍ଷରୁ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଶେଷ ମୁହୂର୍ତ୍ତରେ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଦଳର ସମସ୍ତ ଖେଳାଳି ଏକତ୍ର ଅଭ୍ୟାସ କରିବାର ମଧ୍ୟ ସୁଯୋଗ ପାଇ ନାହାନ୍ତି। ଶୁକ୍ରବାର ଦଳ ଘୋଷଣା ହୋଇଥିବା ବେଳେ ରବିବାର ଚାଇନା ଗସ୍ତ କରିଥିଲା ଭାରତ। ଏପରି କି ଦଳର ଦୁଇ ଡିଫେଣ୍ଡର କୋନସାମ ଚିଙ୍ଗଲସେନା ସିଂ ଓ ଲାଲଚୁଙ୍ଗନୁଙ୍ଗାଙ୍କୁ ଭିଜା ନ ମିଳିବାରୁ ଉଭୟ ଦଳ ସହିତ ଗସ୍ତ କରି ନାହାନ୍ତି। ଉଭୟଙ୍କ ପାଇଁ ଏକ୍ସପ୍ରେସ୍‌ ଭିଜା ବ୍ୟବସ୍ଥା କରାଯାଉଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ଉଭୟ ଦଳ ସହିତ ଯୋଗଦେବେ ବୋଲି ଚେଫ୍‌ ଡେ ମିଶନ ଭୂପିନ୍ଦର ସିଂ ବାଜଓ୍ବା କହିଛନ୍ତି। ଉଭୟ ଖେଳାଳି ମଙ୍ଗଳବାର ମ୍ୟାଚରୁ ବାଦ୍‌ ପଡିଥିବା ବେଳେ ବରିଷ୍ଠ ଖେଳାଳି ସୁନୀଲ ଛେତ୍ରୀ ଓ ସନ୍ଦେଶ ଝିଙ୍ଗନଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଖେଳାଳି କିଛି ସପ୍ତାହ ହେବ ଅଭ୍ୟାସ ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଦୁଇ ମ୍ୟାଚ୍‌ ପାଇଁ ଉଭୟଙ୍କୁ ବିଶ୍ରାମ ଦିଆଯାଉଛି। ଚାଇନା ଭାରତ ଅପେକ୍ଷା ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଭାରତର ବିଜୟ ସମ୍ଭାବନା ମଧ୍ୟ ସାମାନ୍ୟ କମ୍‌। ଅନ୍ୟପକ୍ଷରେ ବାଂଲାଦେଶ ଓ ମ୍ୟାନ୍‌ମାର ବିପକ୍ଷ ମ୍ୟାଚକୁ ଭାରତ ସହଜରେ ଜିତିବାର ସମ୍ଭାବନା ରହିଛି। ଶେଷ ଥର ପାଇଁ ୨୦୦୨ ବୁସାନ୍‌ ଏସିଆନ୍‌ ଗେମ୍ସରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ। ଚାଇନା ୨-୦ରେ ଏହି ମ୍ୟାଚକୁ ଜିତି ନେଇଥିଲା। ଏପରି କି ପ୍ରଥମ ମ୍ୟାଚ୍‌ ପାଇଁ ଚାଇନାକୁ ଫେଭରିଟ୍‌ ବିବେଚନା କରିଛନ୍ତି ଷ୍ଟିମାକ୍‌।

Share